ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ), ଗଜପତି ପକ୍ଷରୁ ଜିଲ୍ଲା ଓ ଦୌରା ଜଜ ତଥା ଡିଏଲଏସଏର ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏବଂ ଡିଏଲଏସଏର ସଚିବ ଶ୍ରୀ ବିମଳ ରାଉଳଙ୍କ ସଭାପତିତ୍ୱରେ କେରାଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଲିଙ୍ଗେଶ୍ୱର ମହାଦେବ ପୀଠ ପରିସରରେ ଏକ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥି, ଆଇନଜୀବୀ, ସମାଜସେବୀ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କ ଦ୍ୱାରା ରାମଲିଙ୍ଗେଶ୍ୱର ମହାଦେବ ପୀଠ ପରିସରରେ ଏକ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବେଶ ସୁରକ୍ଷା ଏବଂ ସବୁଜ ପରିବେଶ ଗଠନର ବାର୍ତ୍ତା ପ୍ରଦାନ କରି ଉପସ୍ଥିତ ବ୍ୟକ୍ତିବିଶେଷମାନେ ବୃକ୍ଷରୋପଣ କରିବା ସହ ପରିସରକୁ ସ୍ୱଚ୍ଛ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ପରବର୍ତ୍ତୀ ସଚେତନତା ସଭାରେ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ, ବନ ଓ ଜୈବ ବିବିଧତାର ସୁରକ୍ଷା, ଜଳ ସଂରକ୍ଷଣ, ପ୍ଲାଷ୍ଟିକର ବ୍ୟବହାର ହ୍ରାସ ଏବଂ ପରିବେଶ ଅନୁକୂଳ ଜୀବନଶୈଳୀ ଅବଲମ୍ବନର ଆବଶ୍ୟକତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ବକ୍ତାମାନେ ପରିବେଶ ସୁରକ୍ଷାକୁ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ନୈତିକ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଡିଏଲଏସଏ, ଗଜପତିର ସଚିବ ଶ୍ରୀ ବିମଳ ରାଉଳ, ଜିଲ୍ଲା ନ୍ୟାୟାଳୟର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର, ପାରଳାଖେମୁଣ୍ଡି ବାର୍ର ଆଇନଜୀବୀ ଶ୍ରୀମତୀ ଇତିଶ୍ରୀ ମହାପାତ୍ର, ସମାଜସେବୀ ଶ୍ରୀ ମନୋଜ ଦାଶ, ଏବିୱାଇଏସଏସ୍ (ABYSS)ର ପ୍ରତିଷ୍ଠାତା ଶ୍ରୀ ଜି. କୁମାର ରେଡ୍ଡୀ ଏବଂ ଓନ୍ ଷ୍ଟପ୍ ସେଣ୍ଟରର ସେଣ୍ଟର ଆଡମିନିଷ୍ଟ୍ରେଟର ଶ୍ରୀମତୀ ସୁନୀତା ରଥ ଉପସ୍ଥିତ ରହି ପରିବେଶ ସୁରକ୍ଷା, ସାମାଜିକ ଦାୟିତ୍ୱବୋଧ ଓ ସ୍ୱଚ୍ଛ ପରିବେଶର ଆବଶ୍ୟକତା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ, ଯୁବକ ଓ ମହିଳାମାନଙ୍କ ସମେତ ବହୁ ସଂଖ୍ୟକ ଲୋକ ଅଂଶଗ୍ରହଣ କରିଥିଲେ।

