Site icon Awaj Media

ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍‌ସ’ ନୃତ୍ୟ ସମନ୍ୱୟ ପ୍ରତିଯୋଗିତାରେ ପାରଳାଖେମୁଣ୍ଡିର ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ସଫଳତା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ ସାଇ କଲଚୁରାଲ୍ ଏସୋସିଏସନ୍ ଟ୍ରଷ୍ଟ, ମଞ୍ଚେଶ୍ୱର ପକ୍ଷରୁ ତାରିଖ ୦୮/୦୬/୨୦୨୬ ରେ ଉପେନ୍ଦ୍ର ଭଞ୍ଜ ରେଳୱେ ଇନଷ୍ଟିଚ୍ୟୁଟ୍ ପରିସରରେ ରାଜ୍ୟସ୍ତରୀୟ ‘ତାଳ ଓ ଟ୍ରେଣ୍ଡ୍‌ସ ନୃତ୍ୟ ସମନ୍ୱୟ ପ୍ରତିଯୋଗିତା–୨୦୨୬’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟ ବିଚାରକ ଭାବେ ଗୁରୁ ଶ୍ରୀମତୀ ସୋନାଲି ରେ, ଗୁରୁ ଶ୍ରୀମତୀ ଶୁଭଦର୍ଶିନୀ ନାୟକ ଏବଂ ଗୁରୁ ଶ୍ରୀ ଦୁର୍ଯ୍ୟୋଧନ ମୁଦୁଲି ଯୋଗଦେଇ ପ୍ରତିଯୋଗୀମାନଙ୍କର ନୃତ୍ୟ ପରିବେଷଣର ମୂଲ୍ୟାଙ୍କନ କରିଥିଲେ।

ରାଜ୍ୟର ବିଭିନ୍ନ ଅଞ୍ଚଳରୁ 2୦୦ରୁ ଅଧିକ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜ ନିଜ ପ୍ରତିଭାର ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡିସ୍ଥିତ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ରର ଛଅଜଣ ନୃତ୍ୟଶିଳ୍ପୀ ଯଥା ଶୁଭଶ୍ରୀ ପାଣିଗ୍ରାହୀ, ଦିବ୍ୟା ପୂଜାରୀ, ତନୁପ୍ରିୟା ପାଇକ, ସୋନାଲି ପ୍ରଧାନ, ଲିସା ରାଣୀ ପାଢ଼ୀ ଏବଂ ସ୍ମୃତିସ୍ନିଗ୍ଧା କର ବରିଷ୍ଠ ଦଳଗତ ନୃତ୍ୟ ବିଭାଗରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ଏହି ସଫଳତା ପାଇଁ ସେମାନେ ଟ୍ରଫି ସହିତ ପୁରସ୍କାର ରାଶି ମଧ୍ୟ ହାସଲ କରିଥିଲେ। ସେମାନଙ୍କର ମନୋମୁଗ୍ଧକର ନୃତ୍ୟ ପରିବେଷଣକୁ ଉପସ୍ଥିତ ବିଚାରକ ମଣ୍ଡଳୀ, ଦର୍ଶକବୃନ୍ଦ ଏବଂ ଆୟୋଜକ କମିଟି ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।

ଏହି ସଫଳତା ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଅନୁଷ୍ଠାନର ଗୁରୁଜନ, କର୍ମକର୍ତ୍ତା ଏବଂ ଅଭିଭାବକବୃନ୍ଦ ପ୍ରଥମ ସ୍ଥାନ ଅଧିକାର କରିଥିବା ନୃତ୍ୟଶିଳ୍ପୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ଭବିଷ୍ୟତରେ ମଧ୍ୟ ଏହିପରି ସଫଳତା ହାସଲ କରି ଅନୁଷ୍ଠାନ ଓ ପାରଳାଖେମୁଣ୍ଡି ପାଇଁ ଗୌରବ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି।

Exit mobile version