Site icon Awaj Media

ତିଖିରୀ ପଞ୍ଚାୟତର ସରପଞ୍ଚ କୁମାରୀ ଚାମେଲି ଓଝା ଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କଲା – ଆପ ଓଡ଼ିଶା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହିଳା ସରପଞ୍ଚଙ୍କ ପ୍ରତି ଘଟିଥିବା ଅମାନବୀୟ ନିର୍ଯ୍ୟାତନାର ନ୍ୟାୟିକ ଯାଞ୍ଚ ଦାବୀ କଲା ଆମ୍ ଆଦ୍‌ମୀ ପାର୍ଟି ! ଗତ ଜୁନ୍ ୧୧ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ତିଖିରୀ ପଞ୍ଚାୟତର ସରପଞ୍ଚ କୁମାରୀ ଚାମେଲି ଓଝା ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିବା ନିମନ୍ତେ ବିଡ଼ିଓଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଏବଂ ସେଠାରେ ତାଙ୍କ ପଞ୍ଚାୟତରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହେଉନଥିବାର ଅଭିଯୋଗ କରୁଥିବା ବେଳେ ମହାକାଳପଡା ବିଧାୟକଙ୍କ ପ୍ରାୟ ୧୦/୧୫ ଜଣ ସମର୍ଥକ କୁମାରୀ ଓଝାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ଜଣେ ନିର୍ବାଚିତ ସରପଞ୍ଚଙ୍କୁ ଏଭଳି ବିଧାୟକଙ୍କ ସମର୍ଥକ ଗୁଣ୍ଡା ବାହିନୀଙ୍କର ଆକ୍ରମଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଘୃଣ୍ୟ ଘଟଣାକ୍ରମ ପଛରେ ବିଡ଼ିଓଙ୍କର ଦୃଢ଼ ସମର୍ଥନ ରହିଥିବାର ସରପଞ୍ଚ କୁମାରୀ ଚାମେଲି ଓଝା ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ ଗୁଣ୍ଡାମାନେ ତାଙ୍କୁ ହତ୍ୟା ଓ ଧର୍ଷଣ କରିବାର ଧମକ ଦେଉଥିଲେ ସୁଦ୍ଧା ପୋଲିସ୍ ସେଠାରେ ନୀରବ ଦ୍ରଷ୍ଟା ସାଜିଥିଲା । ଏହି ସବୁ ଘଟଣାକୁ ଚାମେଲି ଓଝା ତାଙ୍କ ମୋବାଇଲ ଫୋନରେ ରେକର୍ଡିଂ କରୁଥିଲାବେଳେ ପୋଲିସ୍ ଏବଂ ବିଧାୟକଙ୍କ ଗୁଣ୍ଡା ତାଙ୍କ ଠାରୁ ବଳ ପୂର୍ବକ ମୋବାଇଲ ଫୋନ ଛଡାଇ ନେବାକୁ ଉଦ୍ୟମ କରିଥିଲେ । ପରେ ପୋଲିସ୍ ତାଙ୍କୁ ଏବଂ ତାଙ୍କ ଭାଇଙ୍କୁ ଥାନାକୁ ବଳ ପୂର୍ବକ ନେଇଯାଇଥିଲେ । ଥାନାରେ ତାଙ୍କୁ ପୋଲିସ୍ ଦୁର୍ବ୍ୟବହାର କରିବା ସହ ୩ ଜଣ କନେଷ୍ଟବଳ ତାଙ୍କୁ ଛାତି ଓ ପିଠିରେ ମାଡ ମାରିଥିବାର କୁମାରୀ ଓଝା ସଙ୍ଗୀନ ଅଭିଯୋଗ କରିଥିଲେ । ଜଣେ ନିର୍ବାଚିତ ମହିଳା ପ୍ରତିନିଧିଙ୍କ ପ୍ରତି ପୋଲିସର ଏଭଳି ଆକ୍ରୋଶ ମୂଳକ କାର୍ଯ୍ୟାନୁଷ୍ଠାନକୁ ଆମ୍ ଆଦ୍‌ମୀ ପାର୍ଟି କଡ଼ା ଶବ୍ଦରେ ନିନ୍ଦା କରୁଛି । ବିଡ଼ିଓଙ୍କ ଉପସ୍ଥିତିରେ ଜଣେ ମହିଳାଙ୍କ ପ୍ରତି ବିଧାୟକଙ୍କ ପୋଷା ଗୁଣ୍ଡାମାନଙ୍କର ଏତାଦୃଶ ଦୌରାତ୍ମ୍ୟ ସମଗ୍ର ସରକାରୀ କଳର ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଲଗାଇଦେଇଛି । ମହିଳା ବନ୍ଦନ ନାମରେ ସରକାରଙ୍କ ଦୋମୁହାଁ ନୀତିର ପର୍ଦ୍ଦାଫାଶ ହୋଇଥିବାର ଆମ୍ ଆଦ୍‌ମୀ ପାର୍ଟି ସ୍ପଷ୍ଟ କରିଛି । ସିଧାସଳଖ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କର ଏହି ଘଟଣାରେ ସମ୍ପୃକ୍ତି ଥିଲେ ସୁଦ୍ଧା ସରକାର ବିଧାୟକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଜଣେ କର୍ତ୍ତବ୍ୟନିଷ୍ଠ ମହିଳା ସରପଞ୍ଚଙ୍କୁ ଗିରଫ କରି ନିର୍ଯାତନା ଦେବା ପ୍ରଶାସନ ଓ ପୋଲିସର ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରିଛି । ଆମ୍ ଆଦ୍‌ମୀ ପାର୍ଟି ତରଫରୁ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ପ୍ରେସ୍ ବିବୃତି ଜରିଆରେ ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ଓ ନ୍ୟାୟିକ ତଦନ୍ତ ଦାବି କରି ସଂପୃକ୍ତ ମହିଳା ସରପଞ୍ଚଙ୍କ ପ୍ରତି ହୋଇଥିବା ଆକ୍ରମଣରେ ସଂଶ୍ଲିଷ୍ଟ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

Exit mobile version