Site icon Awaj Media

ନୂତନ ପାଠ୍ୟପୁସ୍ତକକୁ ନେଇ ସବୁଠି ଚର୍ଚ୍ଚା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡିକ ଆସନ୍ତା ଶିକ୍ଷା ବର୍ଷ ପାଇଁ ପ୍ରସ୍ତୁତ | ଚଳିତ ଶିକ୍ଷାବର୍ଷ ଆରମ୍ଭରେ ମାତ୍ର ପନ୍ଦର ଦିନ ପଢାହୋଇ ଅସହ୍ୟ ଗରମ ପାଇଁ ଛୁଟି ହୋଇଯାଇଥିଲା | ପିଲାମାନେ ଘରେ ରହି ଟିୟୁସନ ସହିତ ବିଦ୍ୟାଳୟ ନିର୍ଦ୍ଦେଶିତ ଅନଲାଇନରେ ପଢୁଥିଲେ | ବର୍ତ୍ତମାନ ସମୟରେ ବିଦ୍ୟାଳୟ ଖୋଲିବାର ଦୁଇଦିନ ଆଗରୁ ଜଣାପଡିଲା ଯେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକର ସମସ୍ତ ବହିରେ ତ୍ରୁଟି ରହିଛି | ରାଜ୍ୟ ଶିକ୍ଷାମନ୍ତ୍ରୀ ମଧ୍ୟ ବହିରେ ଥିବା 1668 ତ୍ରୁଟିକୁ ମାନି ନେଇ ତଦନ୍ତ କରିବାକୁ ଏକ କମିଟି କରିଛନ୍ତି | ଅଷ୍ଟମ ଶ୍ରେଣୀ ବହିରେ ଥିବା 705 ଟି ଭୁଲକୁ ନେଇ ସବୁ ଗାଁ ଗଣ୍ଡା ଶିକ୍ଷାନୁଷ୍ଠାନ ମାନଙ୍କରେ ଚର୍ଚ୍ଚା ଜୋର ଚାଲିଛି | ଶିକ୍ଷକ, ଅଭିଭାବକ ଏବଂ ଛାତ୍ରଛାତ୍ରୀ ଏହାର ସମାଧାନ କିପରି କରିବେ ତାହା ଗୋଟେ ବଡ଼ ପ୍ରଶ୍ନବାଚୀ ପାଲଟିଛି | ଜୁଲାଇ ମାସରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଆଉ ରହିଲା 8 ମାସ, ତାହା ଭିତରେ ତ୍ରୁଟିଥିବା ବହିକୁ ସଂଶୋଧନ କରି ପାଠ ପଢାଇବାକୁ ହେବ ବୋଲି କୁସୁନ୍ଦା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତ୍ରିନାଥ ସାହୁ କୁହନ୍ତି |ବାଙ୍କୀ ଡମପଡା ବ୍ଲକରେ କେବଳ 23 ଟି ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ରହିଛି | ଖରା ଛୁଟି ପୂର୍ବରୁ ସବୁ ବିଦ୍ୟାଳୟରେ ବହି ବଣ୍ଟନ ସରିଛି ତେଣୁ ପୁନର୍ବାର ପିଲାଙ୍କ ଠାରୁ ବହି ଆଣି ସଂଶୋଧନ କରି ଦେବା ସମ୍ଭବ ନୁହେଁ | ସବୁ ବହିର ନୂଆ ସଂଶୋଧିତ ପିଡିଏଫ ଫ୍ରୁଷ୍ଠା ଗୁଡିକ ପିଲାମାନଙ୍କୁ ଯୋଗାଇ ଦିଆଯିବ ବୋଲି ତାଳବସ୍ତ ପିଏମ ଶ୍ରୀ ସରକାରୀ ବିଦ୍ୟାଳୟର ପରିଚାଳନା ସଭାପତି ରବୀନ୍ଦ୍ର କୁମାର ପାଣିଗ୍ରାହୀ କୁହନ୍ତି | ଭୁଲ ତ ହୋଇଯାଇଛି, ତାହା ସରକାର ସମାଧାନ କରିବେ କିନ୍ତୁ ଅଭିଭାବକ ମାନେ ପରିବାର ଭିତରେ ପିଲାମାନଙ୍କୁ ନକରାତ୍ମକ ଭ୍ରାନ୍ତଧାରଣା ଦେବାରୁ ଦୁରେଇ ରୁହନ୍ତୁ |କାରଣ ଏହା ପିଲାମାନଙ୍କ ମାନସିକତା ଉପରେ ପ୍ରଭାବ ପକାଇବ | ସମସ୍ତେ ଏଥିପ୍ରତି ସଚେତନ ରହିବା ଉଚିତ ବୋଲି ଡମପଡା ଗ୍ରାମର ଅଭିଭାବକ ମମତା ଜେନା କୁହନ୍ତି | ଦୁଲଣାପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ବେଉରା ବହି ତ୍ରୁଟିକୁ ନେଇ କୁହନ୍ତି ଯେ ଜାତୀୟ ଶିକ୍ଷାନୀତି (ଏନ ଇ ପି )2020 ଲାଗୁ ହେବା ପରେ ଚଳିତ ବର୍ଷ ବହୁତ କମ ସମୟ ରହିଥିଲା ବହି ପ୍ରସ୍ତୁତ କରିବାରେ | ସି ବି ଏସ ଇ ଢାଞ୍ଚାରେ ବହି ଗୁଡିକ ପ୍ରସ୍ତୁତ କରାଯାଇଛି | ବହିର ମୁଖବନ୍ଧ ଏବଂ ପଚ୍ଛ ଫ୍ରୁଷ୍ଠାରେ ମଧ୍ୟ ସୂଚନା ଦିଆଯାଇଛି ଯେ ଏହା ପ୍ରତିବର୍ଷ ମୁଦ୍ରଣ ହେବା ସହିତ ମୁଦ୍ରଣ ଗତ ତ୍ରୁଟି ଏବଂ ନୂତନ ପାଠ୍ୟ ସଂଯୋଗ ହୋଇପାରିବ | ତେଣୁ ଏହି ଭୁଲକୁ ସବୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସାମାନ୍ୟତମ ଚେଷ୍ଟାକଲେ ଖୁବଶିଘ୍ର ଏହାର ସମାଧାନ ହୋଇଯିବ |

Exit mobile version