Site icon Awaj Media

ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ ବିସ୍ତାର ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍ ଦ୍ବାରା ନିଯୁକ୍ତ ୭ ଜଣ ସହ ପ୍ରଭାରୀଙ୍କର ଓଡ଼ିଶା ଆଗମନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଆମ୍ ଆଦମୀ ପାର୍ଟିର ସାଙ୍ଗଠନିକ କଳେବରକୁ ବୃଦ୍ଧି କରିବା ନିମନ୍ତେ କେନ୍ଦ୍ରୀୟ କାର୍ଯ୍ୟାଳୟ ଦିଲ୍ଲୀରୁ ନିଯୁକ୍ତ ୭ ଜଣ ସହ ପ୍ରଭାରୀ ଓଡ଼ିଶା ଗସ୍ତରେ ଆସି ପହଞ୍ଚି ସାରିଛନ୍ତି। ବିଭିନ୍ନ ବିଧାନ ସଭାକୁ ନେଇ ନବ ଗଠିତ ଜୋନ ଗୁଡ଼ିକର ଦାୟିତ୍ଵ ପାଇଥିବା ସହ ପ୍ରଭାରୀ ଗଣ ନ୍ୟସ୍ତ ବିଧାନସଭା ଗୁଡ଼ିକୁ ଗସ୍ତ କରିବେ। ପ୍ରାୟ ୩ ମାସ ଧରି ସେମାନଙ୍କ ରହଣି ସମୟରେ ସମସ୍ତ ୧୪୭ ଟି ବିଧାନସଭାରେ ବିଭିନ୍ନ ପର୍ଯ୍ୟାୟରେ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ତଦାରଖ କରିବେ। ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ ୭ ଜଣ ସହ ପ୍ରଭାରୀ ବିଭିନ୍ନ ବିଧାନ ସଭାରେ ତୃଣମୂଳ ସ୍ତରରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସାଙ୍ଗଠନିକ ବିସ୍ତାର କାର୍ଯ୍ୟକ୍ରମକୁ ସମ୍ପାଦନ କରିବେ। ଦିଲ୍ଲୀ କେନ୍ଦ୍ରୀୟ ସଂଗଠନ ଦ୍ଵାରା ନିଯୁକ୍ତ ଏହି ସହ ପ୍ରଭାରୀଙ୍କ ଟିମରେ ଶ୍ରୀ ଅଜିତ୍ ପାଲ୍, ଶ୍ରୀ ଦିନେଶ କୁମାର, ଶ୍ରୀ ପ୍ରଦୀପ ମିତ୍ତଲ, ଶ୍ରୀ ପ୍ରବୀଣ କୁମାର କାଭିୟା, ଶ୍ରୀ ପୁନିତ୍ ରାୟ, ଶ୍ରୀ ରବୀନ୍ଦ୍ର ଭରଦ୍ୱାଜ, ଶ୍ରୀ ଟିଙ୍କୁ ରାଜୋରାଙ୍କ ଦୀର୍ଘ ବର୍ଷର ବଳିଷ୍ଠ ସାଙ୍ଗଠନିକ ଦକ୍ଷତାକୁ ଭିତ୍ତି କରି ଆଗାମୀ ୩ ମାସ ମଧ୍ୟରେ ଓଡ଼ିଶାରେ ଆମ୍ ଆଦମୀ ପାର୍ଟିର କଳେବରର ବିସ୍ତାର କରାଯିବ। ସମସ୍ତ ବିଧାନ ସଭା ଗୁଡ଼ିକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ସହ ପ୍ରଭାରୀମାନଙ୍କୁ ଜୋନ ଗୁଡ଼ିକର ଦାୟୀତ୍ବ ନ୍ୟସ୍ତ କରାଯାଇଛି। ଏହି ସମସ୍ତ ଜୋନରେ ରାଜ୍ୟ ସଂଗଠନ ଦ୍ଵାରା ନିଯୁକ୍ତ ସାଙ୍ଗଠନିକ ସମ୍ପାଦକ ମାନେ ସହ ପ୍ରଭାରୀ ମାନଙ୍କୁ ସାଙ୍ଗଠନିକ କାର୍ଯ୍ୟକ୍ରମର ସୁଚାରୁ ଅଗ୍ରଗତି ନିମନ୍ତେ ସମ୍ପୂର୍ଣ୍ଣ ସହଯୋଗ କରିବେ। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ବିଧାନସଭାରେ ସହ ପ୍ରଭାରୀଙ୍କ ଉପସ୍ଥିତିରେ ବିଧାନସଭା ସ୍ତରୀୟ ସାଙ୍ଗଠନିକ ସମୀକ୍ଷା ବୈଠକ ଆହୂତ କରାଯିବ। ଏହି ସମୀକ୍ଷା ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ, ଜିଲ୍ଲା ସଭାପତି ଏବଂ ବିଧାନସଭାର ସମସ୍ତ ସକ୍ରିୟ ସଦସ୍ୟ ଉପସ୍ଥିତ ରହିବାକୁ ରାଜ୍ୟ କାର୍ଯ୍ୟାଳୟ ତରଫରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ସରିବା ପରେ ଯୋଜନା ମୁତାବକ ପରବର୍ତ୍ତୀ ପର୍ଯ୍ୟାୟ ଗୁଡିକରେ ସାଙ୍ଗଠନିକ ବିସ୍ତାରକୁ ଗୁରୁତ୍ଵ ଦିଆଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ସ୍ପଷ୍ଟ କରିଛନ୍ତି ।

ଆଗାମୀ ପଞ୍ଚାୟତ ଓ ନଗରପାଳିକା ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରାଯିବା ସହ ପଞ୍ଚାୟତ, ଜିଲ୍ଲା ପରିଷଦ ଓ ନଗରପାଳିକା ନିର୍ବାଚନରେ ଦଳ ତରଫରୁ ସମସ୍ତ ସ୍ଥାନରେ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରାଯାଉଛି। ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ଆଧାର କରି ଓଡ଼ିଶାରେ ଏକ ବିକଳ୍ପ ରାଜନୈତିକ ଦଳର ବହୁଳ ଆବଶ୍ୟକତାକୁ ଉପଲବ୍ଧି କରି ଆମ୍ ଆଦମୀ ପାର୍ଟିର କେନ୍ଦ୍ରୀୟ ସଂଯୋଜକ ଶ୍ରୀ ଅରବିନ୍ଦ କେଜରୀୱାଲଜୀ ସଂଗଠନ ବିସ୍ତାର ନିମନ୍ତେ ତାଙ୍କ ସହଯୋଗୀ ମାନଙ୍କୁ ଓଡ଼ିଶା ପ୍ରେରଣ କରିଥିବାରୁ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର,ସମସ୍ତ ନେତୃମଣ୍ଡଳୀ, ସକ୍ରିୟ ସଦସ୍ୟବୃନ୍ଦ,ଓଡ଼ିଶାରେ ଦଳର ଅଗଣିତ ସମର୍ଥକ ଓ ଶୁଭେଚ୍ଛୁଙ୍କ ତରଫରୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରାଯାଇଛି।

Exit mobile version