ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଆସନ୍ତା ଜୁନ୍ ୨୭ ତାରିଖରେ ପାଳନ ହେବ ଆନ୍ତର୍ଜାତୀୟ ଏମଏସଏମଇ ଦିବସ । ଏହି ଅବସରରେ ପାରାଦୀପରେ ଆୟୋଜିତ ହେବ ଏକ ବୃହତ୍ ସଚେତନତା କାର୍ଯ୍ୟକ୍ରମ । ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ଡିଜିଟାଲ ବାଣିଜ୍ୟ ଓ ନୂତନ ବଜାର ସୁଯୋଗ ସହ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଆସନ୍ତା ୨୭ ତାରିଖରେ ପାରାଦୀପସ୍ଥିତ ଇଫକୋ ଅଡିଟୋରିୟମ୍ ପରିସରରେ ଆନ୍ତର୍ଜାତୀୟ ଏମଏସଏମଇ ଦିବସ ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏନଆଇସି ଭୁବନେଶ୍ୱରର ଡେପୁଟି ଜେନେରାଲ ମ୍ୟାନେଜର ଏସ୍. କେ. ଶାହ । ଏହି ଅବସରରେ ବିଶ୍ୱ ବାଣିଜ୍ୟ କେନ୍ଦ୍ର, ଭୁବନେଶ୍ୱରର ଆଞ୍ଚଳିକ ନିର୍ଦ୍ଦେଶିକା ଏ. ରାଜ୍ୟଲକ୍ଷ୍ମୀ କାର୍ଯ୍ୟକ୍ରମର ବିସ୍ତୃତ ରୂପରେଖ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ଡିଜିଟାଲ ବାଣିଜ୍ୟ, ଇ-କମର୍ସ ଏବଂ ଓଏନଡିସି ପ୍ଲାଟଫର୍ମର ସୁବିଧା ସମ୍ପର୍କରେ ସଚେତନ କରାଯିବ , ଏହାଦ୍ୱାରା ସେମାନେ ନିଜ ବ୍ୟବସାୟକୁ ବିସ୍ତାର କରିବା ସହ ନୂତନ ବଜାରରେ ପହଞ୍ଚି ପାରିବେ । ଏହି ପଦକ୍ଷେପ ଓଡ଼ିଶାର ଏମଏସଏମଇ କ୍ଷେତ୍ରକୁ ଅଧିକ ବଜାର ସୁଯୋଗ, ଡିଜିଟାଲ ସେବାର ବ୍ୟବହାର ଓ ରୋଜଗାର ସୃଷ୍ଟି ମାଧ୍ୟମରେ ସଶକ୍ତ କରିବ ବୋଲି ଏସ୍. କେ. ଶାହ କହିଛନ୍ତି । କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗର ଅଧିକାରୀ, ବ୍ୟାଙ୍କ ପ୍ରତିନିଧି, ଡିଆଇସି ଅଧିକାରୀ ଓ ବହୁ ଏମଏସଏମଇ ଉଦ୍ୟୋଗୀ ଯୋଗଦେବେ । ଅଧିକରୁ ଅଧିକ ଉଦ୍ୟୋଗୀ ଏହି ସଚେତନତା କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆୟୋଜକ ମାନେ ଆହ୍ୱାନ କରିଛନ୍ତି । ସୂକ୍ଷ୍ମ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ସହ ଡିଜିଟାଲ ଅର୍ଥନୀତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ପ୍ରତି ଉଦ୍ୟୋଗୀ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।
ଓଡ଼ିଶାର ଏମ୍ ଏସ୍ ଏ ମ୍ଇ କ୍ଷେତ୍ରକୁ ସଶକ୍ତ କରିବାକୁ ବିଶେଷ ପଦକ୍ଷେପ !!!

