Site icon Awaj Media

ଉତ୍କଳ ସାମ୍ବାଦିକ ସଂଘ ଗଜପତି ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସଭାଗୃହରେ ଉତ୍କଳ ସାମ୍ବାଦିକ ସଂଘ, ଗଜପତି ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ସଂଘର ସଭାପତି ଦ୍ବୀଜେନ୍ଦ୍ରନାଥ ପାଢ଼ୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସାହାୟ ମୀନା ଓ ରା.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଗତିବାଦୀ ଖବରକାଗଜର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ସଂଘର ବରିଷ୍ଠ କର୍ମକର୍ତ୍ତା ଓ ଉପଦେଷ୍ଟାମଣ୍ଡଳୀ ପକ୍ଷରୁ ଅତିଥିମାନଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ପରେ ପରେ ଭକ୍ତି ସଙ୍ଗୀତ ଅନୁଷ୍ଠାନର କଳାକାର ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା। ଏହି ଅବସରରେ ‘ନାଗରିକ ସାମ୍ବାଦିକତାର ବୃଦ୍ଧି ଓ ତାହାର ପ୍ରଭାବ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍ ଅଂଶଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ। ମୁଖ୍ୟ ବକ୍ତା ବିରୂପାକ୍ଷ ତ୍ରିପାଠୀ ନାଗରିକ ସାମ୍ବାଦିକତାର ସକାରାତ୍ମକ ଓ ନକାରାତ୍ମକ ଦିଗ ଉପରେ ବିସ୍ତୃତ ଆଲୋଚନା କରିବା ସହ ସମାଜରେ ସାମ୍ବାଦିକଙ୍କ ଭୂମିକା, ଦାୟିତ୍ୱ ଓ ନୈତିକତା ସମ୍ପର୍କରେ ପ୍ରାଞ୍ଜଳ ଭାବେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଇଂ. ରୂପେଶ ପାଣିଗ୍ରାହୀ ଏଭଳି କାର୍ଯ୍ୟକ୍ରମର ଆୟୋଜନକୁ ପ୍ରଶଂସା କରିବା ସହ ସାମ୍ବାଦିକମାନଙ୍କୁ ସମାଜର ଜାଗ୍ରତ ପ୍ରହରୀ ବୋଲି ଅଭିହିତ କରିଥିଲେ। ସେ କହିଥିଲେ, ଜିଲ୍ଲାର ସାମ୍ବାଦିକମାନଙ୍କ ସମସ୍ୟା ସମାଧାନ ଓ ସେମାନଙ୍କ ପରିବାରର ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ସହଯୋଗ ପାଇଁ ସେ ସର୍ବଦା ସାଥୀ ହୋଇ ରହିବେ। ତାଙ୍କର ଏହି ପ୍ରତିଶ୍ରୁତି ସାମ୍ବାଦିକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିଲା। ଏହି ଅବସରରେ ରା.ଉଦୟଗିରି ଏସଡିପିଓ ରାକେଶ କୁମାର ସାହୁଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟଶୈଳୀ, ଦକ୍ଷତା ଓ ଜନସେବା ପ୍ରତି ନିଷ୍ଠା ପାଇଁ ଚଳିତ ବର୍ଷର ‘ଉତ୍କର୍ଷ ସମ୍ମାନ’ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସହ-ସମ୍ପାଦକ ସୁଜିତ୍ ପ୍ରଧାନ ଅତିଥି ପରିଚୟ ଓ ଆମନ୍ତ୍ରଣ ପାଠ କରିଥିବା ବେଳେ କାର୍ଯ୍ୟକାରୀ ସଭାପତି ସୁଜିତ୍ ବିଷୋୟୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସମ୍ପାଦକ ସ୍ୱରୋଜ ବୀର ସମ୍ପାଦକୀୟ ପାଠ କରି ସଂଘର ବାର୍ଷିକ କାର୍ଯ୍ୟକଳାପ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସଦସ୍ୟମାନଙ୍କୁ ଅବଗତ କରାଇଥିଲେ। ଶେଷରେ ଉପସଭାପତି ସନ୍ତୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଜିଲ୍ଲାର ସମସ୍ତ ସାତୋଟି ବ୍ଲକରୁ ଶତାଧିକ ସାମ୍ବାଦିକ, ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଆମନ୍ତ୍ରିତ ଅତିଥିମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Exit mobile version