ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ର ବିଭିନ୍ନ ବିଦ୍ୟାଳୟ ଓ ଜିଲ୍ଲା କୋର୍ଟ ପରିସରରେ ବୃକ୍ଷରୋପଣ ! ଭାରତରେ ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହରେ ପାଳିତ ହେଉଥିବା ବନ ମହୋତ୍ସବ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବନ ମହୋତ୍ସବ ପ୍ରତିବର୍ଷ ଜୁଲାଇ ୧ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇ ପରିବେଶ ସୁରକ୍ଷା, ବନୀକରଣ ଓ ସବୁଜ ପରିବେଶ ସୃଷ୍ଟି ପ୍ରତି ସଚେତନତା ବୃଦ୍ଧି କରାଯାଏ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ ଆୟୋଜିତ ହୋଇଥିଲା। ଗତ ୨ ଜୁଲାଇ ୨୦୨୬ ତାରିଖରେ ନୟାଗଡ଼ସ୍ଥିତ ଭେଙ୍କଟେଶ୍ୱର ସ୍କୁଲ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ପରବର୍ତ୍ତୀ ଦିନ ୩ ଜୁଲାଇ ୨୦୨୬ ତାରିଖରେ ଡି.ଏ.ଭି. ପବ୍ଲିକ୍ ସ୍କୁଲ, ନୟାଗଡ଼ ପରିସରରେ ଚାରାରୋପଣ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା।ସେହିଦିନ ଜିଲ୍ଲା କୋର୍ଟ ପରିସରର ନବନିର୍ମିତ ପାର୍କିଂ ଅଞ୍ଚଳରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅଦାଲତର ସମସ୍ତ ବିଚାରପତିବୃନ୍ଦ, ଆଇନଜୀବୀ, ନ୍ୟାୟାଳୟର କର୍ମଚାରୀମାନେ ଏବଂ ପାରା ଲିଗାଲ ସ୍ଵେଚ୍ଛାସେବୀ ଉତ୍ସାହର ସହିତ ଅଂଶଗ୍ରହଣ କରି ବିଭିନ୍ନ ପ୍ରଜାତିର ଚାରା ରୋପଣ କରିଥିଲେ।ଏହି ଅବସରରେ ବୃକ୍ଷରୋପଣ ସହିତ ରୋପିତ ଚାରାଗୁଡ଼ିକର ନିୟମିତ ଯତ୍ନ ଓ ସୁରକ୍ଷା ନେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। ପରିବେଶର ସନ୍ତୁଳନ ରକ୍ଷା, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ଆଗାମୀ ପିଢ଼ି ପାଇଁ ସବୁଜ ପରିବେଶ ଗଢ଼ି ତୋଳିବାରେ ବୃକ୍ଷର ଗୁରୁତ୍ୱ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଯାଇଥିଲା।ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ଏହି ବନ ମହୋତ୍ସବ କାର୍ଯ୍ୟକ୍ରମ ସମାଜରେ ପରିବେଶ ସୁରକ୍ଷା ପ୍ରତି ଜନସଚେତନତା ସୃଷ୍ଟି କରିବା ସହ ସମସ୍ତଙ୍କୁ “ଗୋଟିଏ ଗଛ ଲଗାନ୍ତୁ, ପ୍ରକୃତିକୁ ସୁରକ୍ଷା ଦିଅନ୍ତୁ” ବାର୍ତ୍ତା ପ୍ରାଧିକରଣ ସଚିବ ଅଞ୍ଜଳି ମଚ୍ଛଖଣ୍ଡ ପ୍ରଦାନ କରିଥିଲା। ବନ ବିଭାଗ, ନୟାଗଡ ଏହାକୁ ସଫଳ କରିବାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।
ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ଵାରା ନୟାଗଡ଼ରେ ବନ ମହୋତ୍ସବ ପାଳିତ !!!

