Site icon Awaj Media

ସ୍ୱତନ୍ତ୍ର ସଘନ ସଂଶୋଧନ : ଗଣନା ପର୍ଯ୍ୟାୟ ସଫଳତାର ସହ ସମାପ୍ତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ଵରୂପ ପଟ୍ଟନାୟକ : ସ୍ୱତନ୍ତ୍ର ସଘନ ସଂଶୋଧନ, ଗଣନା ପର୍ଯ୍ୟାୟ ସଫଳତାର ସହ ସମାପ୍ତ , ୫ ଜୁଲାଇରୁ ଦାବି ଓ ଆପତ୍ତି ଗ୍ରହଣ ! ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) କାର୍ଯ୍ୟକ୍ରମ ଅନ୍ତର୍ଗତ ଗଣନା ପର୍ଯ୍ୟାୟ (୩୦ ମେରୁ ୨୮ ଜୁନ ୨୦୨୬) ସଫଳତାର ସହ ସମାପ୍ତ ହୋଇଛି।

ଜିଲ୍ଲାର ମୋଟ ୭,୯୭,୨୮୯ ଭୋଟରଙ୍କ ମଧ୍ୟରୁ ୭,୩୮,୩୧୦ ଜଣ ସେମାନଙ୍କର ଗଣନା ଫର୍ମ (Enumeration Form) ଦାଖଲ କରିଛନ୍ତି। ଏହି ପ୍ରକ୍ରିୟାରେ ୧୮,୦୩୪ ମୃତ, ୨୬,୫୬୮ ସ୍ଥାନାନ୍ତରିତ, ୭,୫୭୩ ଅନୁପସ୍ଥିତ ଏବଂ ୪,୧୩୭ ପୂର୍ବରୁ ପଞ୍ଜୀକୃତ ଭୋଟର ଚିହ୍ନଟ ହୋଇଛନ୍ତି।

ଗଣନା ସମୟରେ ବୁଥ୍ ସ୍ତରୀୟ ଅଧିକାରୀ (BLO)ମାନେ ପ୍ରତ୍ୟେକ ଭୋଟରଙ୍କ ଘରକୁ ଯାଇ ଫର୍ମ ବଣ୍ଟନ ଓ ସଂଗ୍ରହ କରିଥିଲେ। ସଚେତନତା କାର୍ଯ୍ୟକ୍ରମ, ବୁଥ୍ ସ୍ତରୀୟ ବୈଠକ, ସ୍ୱେଚ୍ଛାସେବୀଙ୍କ ସହଯୋଗ ଏବଂ ସମସ୍ତ ସ୍ୱୀକୃତ ରାଜନୈତିକ ଦଳର ସକ୍ରିୟ ଅଂଶଗ୍ରହଣ ଫଳରେ ଏହି ପର୍ଯ୍ୟାୟ ସଫଳ ହୋଇପାରିଛି।

୫ ଜୁଲାଇ ୨୦୨୬ରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ। ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଏହି ସମୟ ମଧ୍ୟରେ ପ୍ରକୃତ ଯୋଗ୍ୟ ଭୋଟରମାନେ ଆବଶ୍ୟକ ଫର୍ମ ଓ ଦସ୍ତାବିଜ ସହ ଆବେଦନ କରି ନିଜ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କିମ୍ବା ସଂଶୋଧନ କରାଇପାରିବେ।

ନାଗରିକମାନେ ନିଜ ନାମ ସ୍ଥାନୀୟ BLOଙ୍କ ପାଖରେ ଉପଲବ୍ଧ ଡ୍ରାଫ୍ଟ ଭୋଟର ତାଲିକା, ECINET ମୋବାଇଲ୍ ଆପ୍ କିମ୍ବା ଭୋଟର ପୋର୍ଟାଲ୍ ମାଧ୍ୟମରେ ଯାଞ୍ଚ କରିପାରିବେ। ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ନଥାଏ, ସେମାନେ ଫର୍ମ-୬ ସହ ଆବଶ୍ୟକ ଦସ୍ତାବିଜ ଦାଖଲ କରିପାରିବେ।

ଭୋଟର ତାଲିକାରେ ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କ ନାମ କେବଳ ଗୋଟିଏ ସ୍ଥାନରେ ରଖାଯିବ। ସେହିପରି, ଉପଯୁକ୍ତ ନୋଟିସ, ଯାଞ୍ଚ ଓ ଶୁଣାଣି ବିନା କୌଣସି ଭୋଟରଙ୍କ ନାମ ବାଦ ଦିଆଯିବ ନାହିଁ। ଆଇନ ଅନୁଯାୟୀ ଅପିଲ୍ କରିବାର ସୁବିଧା ମଧ୍ୟ ଉପଲବ୍ଧ ରହିଛି।

ଜିଲ୍ଲା ପ୍ରଶାସନ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଡ୍ରାଫ୍ଟ ଭୋଟର ତାଲିକାରେ ନିଜର ନାମ ଯାଞ୍ଚ କରିବା ସହିତ ଆବଶ୍ୟକ ହେଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି କିମ୍ବା ଆପତ୍ତି ଦାଖଲ କରିବାକୁ ଅନୁରୋଧ କରିଛି।

Exit mobile version