Site icon Awaj Media

ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ : ବାଙ୍କୀ ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ପ୍ରକାଶ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ୮୮-ବାଙ୍କୀ ବିଧାନସଭା ନିର୍ବାଚନ ମଣ୍ଡଳୀର ଚିଠା ଭୋଟର ତାଲିକା ରବିବାର ପ୍ରକାଶ ପାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌.ଆଇ.ଆର୍‌) -୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଗତ ୩୦ ମଇରୁ ୨୮ ଜୁନ ପର୍ଯ୍ୟନ୍ତ ଫର୍ମ ସଂଗ୍ରହ ଓ ଡିଜିଟାଇଜେସନ୍ କାର୍ଯ୍ୟ ବାଙ୍କୀ ଉପଖଣ୍ଡରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଚିଠା ଭୋଟର ତାଲିକା ପ୍ରକାଶ ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଭୋଟର ତାଲିକାର କପି ପ୍ରଦାନ କରାଯାଇଥିଲା। ସେହିପରି ନିର୍ବାଚନ ମଣ୍ଡଳୀର ୨୮୬ଟି ବୁଥର ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କୁ ସହକାରୀ ନିର୍ବାଚନ ଅଧିକାରୀ (ଏଇଆରଓ) ଏବଂ ସୁପରଭାଇଜରମାନଙ୍କ ସହଯୋଗରେ ଭୋଟର ତାଲିକା ବଣ୍ଟନ କରାଯାଇଥିଲା । ଚିଠା ଭୋଟର ତାଲିକା ପ୍ରକାଶ ପରେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ସମସ୍ତ ଦାବି ଓ ଆପତ୍ତିର ଯାଞ୍ଚ ଏବଂ ଫଇସଲା ସେପ୍ଟେମ୍ବର ୨ ସୁଦ୍ଧା ସମ୍ପନ୍ନ କରାଯିବା ସହ ସେପ୍ଟେମ୍ବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଉପଜିଲ୍ଲାପାଳ ଶ୍ରୀମତୀ ମୋନୋସ୍ୱିନୀ ଦାସ ପୂର୍ବରୁ ସମସ୍ତ ସହକାରୀ ନିର୍ବାଚନ ଅଧିକାରୀ, ସୁପରଭାଇଜର ଓ ବିଏଲଓମାନଙ୍କୁ ଦାବି ଓ ଆପତ୍ତିର ଗ୍ରହଣ ଏବଂ ଫଇସଲା ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ସମ୍ପାଦନ କରିବା ସହ କୌଣସି ଯୋଗ୍ୟ ମତଦାତା ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତଥା ସହକାରୀ ନିର୍ବାଚନ ଅଧିକାରୀ ରଞ୍ଜିତା ଲେଙ୍କା, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ପ୍ରିୟଙ୍କା ଜୁଝାରସିଂ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାଳୀଚରଣ ତ୍ରିପାଠୀ, ନାଜର ପଠାଣି ବାରିକ ଏବଂ ଜେ.ଆର୍‌.ଏ. ଅକ୍ଷୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version