Site icon Awaj Media

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ମହିଳାମାନଙ୍କ ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ, ଜୀବିକାର ବିକାଶ ଏବଂ ନିରନ୍ତର ସମାଜସେବା କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସେ “ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ–୨୦୨୬” ଅଧୀନରେ ‘ଦେଶୀ ଧାକଡ଼-ନୟୀ ପହଚାନ (Women Change maker)’ ସମ୍ମାନରେ ଭୂଷିତ ହୋଇଛନ୍ତି। ଚଳିତ ୧୦ ଜୁଲାଇ ୨୦୨୬ ରେ ମୁମ୍ବାଇ ସ୍ଥିତ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ପରିସରରେ ଆୟୋଜିତ ଏକ ସମାରୋହ ରେ Etherwire.Al ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଇଣ୍ଡିଆନ୍ ଗ୍ରାମୀଣ ସର୍ଭିସେସ୍(IGS)ର ଚିଫ୍ ଅପରେଟିଂ ଅଫିସର ଡ.ସଞ୍ଜୀବ ଷଡ଼ଙ୍ଗୀ, ନେହାଲ ଦାସ ଏବଂ ମୟଙ୍କ ମଜୁମଦାର ଉପସ୍ଥିତ ରହି ଲକ୍ଷ୍ମୀପ୍ରିୟାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ବିକାଶମୂଳକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଦେଇଥିଲେ। ସେହିପରି ସମାରୋହରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ର ସିନିୟର ଆଡଭାଇଜର ଡ.ଭାସ୍କର ଚାଟାର୍ଜୀ,ହେଡ୍ ଅଫ୍ ସଷ୍ଟେନେବିଲିଟି ଆଣ୍ଡ ଷ୍ଟ୍ରାଟେଜି ଡେଭଲପମେଣ୍ଟ ର ଡ.ହରିଶ ଆହୁଜା ଏବଂ ଜେନେରାଲ ମ୍ୟାନେଜର,ଚିଫ୍ କ୍ଲାଇମେଟ ଫାଇନାନ୍ସ ନାବାର୍ଡ ର ଡ.ସଞ୍ଜୀବ ରୋହିଲା ପ୍ରମୁଖ ଯୋଗ ଦେଇଥିଲେ। ସୂଚନା ଯେ, ମୋଟ ୯୩ଟି ଆବେଦନ ମଧ୍ୟରୁ ୧୭ ଜଣଙ୍କୁ ବ୍ୟକ୍ତିଗତ ଓ ସଂସ୍ଥାଗତ ଭାବରେ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଥିଲା। ଏହି ସଫଳତା ପରେ ଲକ୍ଷ୍ମୀପ୍ରିୟା ପରିଡ଼ା ଇଣ୍ଡିଆନ୍ ଗ୍ରାମୀଣ ସର୍ଭିସେସ୍ ଏବଂ ସିଆଇଆଇ ର ସହଯୋଗ ଓ ପ୍ରେରଣା ପାଇଁ କୃତଜ୍ଞତା ଜଣାଇଛନ୍ତି।ଲକ୍ଷ୍ମୀପ୍ରିୟା ନିଜ ସଫଳତାର ଶ୍ରେୟ ତାଙ୍କର ଦୁଇ ପୁଅ ରାହୁଲ ଓ ରୋହନଙ୍କ ନିରନ୍ତର ସହଯୋଗକୁ ଦେଇଥିବା ବେଳେ, ତାଙ୍କ ବାପା କୈଳାସ ଚନ୍ଦ୍ର ପରିଡ଼ା, ମା’ ମିନତି ପରିଡ଼ା ଏବଂ ଭାଇ ଅଜିତ ପରିଡ଼ା ଏହି ସଫଳତା ପାଇଁ ଗର୍ବ ଓ ଆନନ୍ଦ ପ୍ରକାଶ କରିଛନ୍ତି। ବ୍ରାହ୍ମଣୀଗାଁ ଓ କନ୍ଧମାଳ ଅଞ୍ଚଳରେ ମଧ୍ୟ ତାଙ୍କ ଏହି କୃତିତ୍ବକୁ ନେଇ ଖୁସିର ଲହରୀ ଦେଖାଦେଇଛି।

Exit mobile version