Site icon Awaj Media

ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ଅନଶନକୁ ସମର୍ଥନ ଦେବା ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରେ ଗଣଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ପରିବେଶବିତ୍, ଶିକ୍ଷାବିତ୍ ଏବଂ ବୈଜ୍ଞାନିକ ସୋନମ୍ ୱାଂଙ୍ଗଚୁକ ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚାଲିଥିବା ଶାନ୍ତିପୂର୍ଣ୍ଣ ଧାରଣା ସମର୍ଥନରେ ଏବଂ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଇସ୍ତଫା ଦାବିରେ ଆଜି ଲୋୟର ପିଏମଜି ଠାରେ ସାଧାରଣ ଜନତା ଏବଂ ଛାତ୍ରଛାତ୍ରୀଙ୍କ ତରଫରୁ ଏକ ବିଶାଳ ଧାରଣା ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାର ତ୍ରୁଟିଶୂନ୍ୟ ନିଟ ପରୀକ୍ଷା କରିବାରେ ଅସମର୍ଥ ହେବା, ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳିବା ଏବଂ ଦେଶରେ ଶିକ୍ଷାର ବଜାରୀକରଣ ପାଇଁ ଉଦ୍ୟମ କରିବାକୁ ଧାରଣାକାରୀ ମାନେ ଦୃଢ ନିନ୍ଦା କରିବା ସହିତ ଭ୍ରଷ୍ଟାଚାରୀ, ଅପାରଗ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଥିଲେ l ଏହି ଧାରଣାରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ଅନେକ ସାମାଜିକ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା,ଶିକ୍ଷାବିତ୍, ବୁଦ୍ଧିଜୀବୀ,ମହିଳା, ଯୁବ, ଛାତ୍ର ଯୋଗଦେଇ ସୋନମ୍ ୱାଙ୍ଗଚୁକଙ୍କୁ ଅନଶନ ସ୍ଥଳରୁ ପୋଲିସ୍ ଯେଉଁଭଳି ଅଗଣତାନ୍ତ୍ରିକ ଭାବେ ବଳପୂର୍ବକ ଉଠେଇ ନେଲା ତାହାର ନିନ୍ଦା କରିବା ସହିତ ସଂପ୍ରତି ଅନଶନରତ ଛାତ୍ର ଛାତ୍ରୀଙ୍କ ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିଥିଲେ। ବାରମ୍ବାର ନିଟ୍ ପରୀକ୍ଷା ସମେତ ଅନେକ ପ୍ରବେଶିକା ପରୀକ୍ଷା ଓ ନିଯୁକ୍ତି ପରୀକ୍ଷାର ପ୍ରଶ୍ନ ପତ୍ର ପ୍ରଘଟ କାରଣରୁ ନିରୀହ ଛାତ୍ର ଛାତ୍ରୀ ଆତ୍ମହତ୍ୟା କରିବା ଘଟଣା ଜନମାନସକୁ ଆନ୍ଦୋଳିତ କରୁଥିଲାବେଳେ କେନ୍ଦ୍ର ସରକାର ଏ ନେଇ ନୀରବ ରହିବା ଶିକ୍ଷା ମାଫିଆଙ୍କୁ ପରୋକ୍ଷରେ ସମର୍ଥନ ଦେଉଥିବାର ସ୍ପଷ୍ଟ ସଂକେତ ମିଳିଛି। ବିଶେଷ କରି ଅପାରଗ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକାଳ ସମୟରେ ସର୍ବାଧିକ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲେ ସୁଦ୍ଧା ପରୀକ୍ଷା ପରିଚାଳନାଗତ ତ୍ରୁଟି ସୁଧାରିବା ନିମନ୍ତେ ମନ୍ତ୍ରୀ ମହୋଦୟ କୌଣସି ଉତ୍ତରଦାୟିତ୍ୱ ପୂର୍ବକ କାର୍ଯ୍ୟକାରିତା ସମ୍ପନ୍ନ କରିବାରେ ଅସମର୍ଥ ହୋଇଥିବାରୁ ଏବଂ ଶିକ୍ଷା ମାଫିଆଙ୍କ ସହିତ ସମ୍ପର୍କ ଥିବାର ଅଭିଯୋଗ ହେଉଥିବାରୁ ତାଙ୍କୁ ତୁରନ୍ତ ବହିଷ୍କାର କରି ଜଣେ ଦକ୍ଷ ଶିକ୍ଷା ମନ୍ତ୍ରୀଙ୍କୁ ଦାୟିତ୍ଵ ଦେବାକୁ ଧାରଣାକାରୀମାନେ ମତବ୍ୟକ୍ତ କରିଥିଲେ। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ଗଣ ଶିକ୍ଷା ବିଭାଗର ଅପାରଗତା ଯୋଗୁଁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ହୋଇଥିବା ବ୍ୟାପକ ତ୍ରୁଟି ଯୋଗୁଁ ଶିକ୍ଷାଦାନରେ ଏକ ପ୍ରକାର ଦ୍ଵନ୍ଦ ଓ ଅଚଳାବସ୍ଥା ସୃଷ୍ଟି ହୋଇଛି। ଯାହାଫଳରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଇଛି। ସଂପ୍ରତି ଶିକ୍ଷା ବ୍ୟବସ୍ଥା ଭୂଷୁଡ଼ିବାକୁ ବସିଥିବାବେଳେ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବା ଦେଖାଯାଉଛି ଯାହା ଲକ୍ଷ ଲକ୍ଷ ଅଭିଭାବକଙ୍କ ସ୍ବପ୍ନକୁ ଧୂଳିସାତ୍ କରିଛି। ନାଗରିକ ସମାଜର ସମସ୍ତ ବ୍ୟକ୍ତି ବିଶେଷ ଆଜି ଏହି ଏକ ଦିବସୀୟ ଧାରଣା ମାଧ୍ୟମରେ ସୋନମ୍ ୱାଙ୍ଗଚୁକ୍ ଓ ଛାତ୍ର ଛାତ୍ରୀଙ୍କ ପ୍ରତି ଦୃଢ଼ ସମର୍ଥନ ଜ୍ଞାପନ କରିବା ସହ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବାକୁ ଏବଂ ଓଡ଼ିଶାରେ ତ୍ରୁଟିଶୂନ୍ୟ ପୁସ୍ତକ ତୁରନ୍ତ ଯୋଗାଇଦେବା ପାଇଁ ଦାବି ଜଣାଇଥିଲେ । ଏହି ସଭାରେ ପ୍ରଫୁଲ୍ଲ ସାମନ୍ତରା, ନିଶିକାନ୍ତ ମହାପାତ୍ର, ରବି ଦାସ୍ ,ପ୍ରଦୀପ ମାଝୀ, ମନ୍ମଥ ରାଉତ, ବିଶ୍ୱଜିତ୍ ରାୟ,ସୁରେଶ ପାଣିଗ୍ରାହୀ, ସୁଦର୍ଶନ ଦାସ୍, ମୋନାଲିସା ଗନ୍ତାୟତ, ବାସୁଦେବ ଭଟ୍ଟ, ସତିଶ ମିଶ୍ର, ସଂଘମିତ୍ରା ଜେନା,ପ୍ରଦୀପ୍ତ ନାୟକ, ଅମିୟ ପାଣ୍ଡବ, ତମନା ଭୋଇ,ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version