କଟକ ( ଆୱାଜ ମିଡ଼ିଆ ) – ପ୍ରଦୀପ ରାଜ : ଫୁଲନଖରା – ଚାରିଛକ ଜାତୀୟ ରାଜପଥର ଦୁରବସ୍ଥା , ତୁରନ୍ତ ମରାମତି ପାଇଁ ତେଜିଲା ଦାବୀ ! ୬୦ ନମ୍ବର ଜାତୀୟ ରାଜପଥର ଫୁଲନଖରାରୁ ଚାରିଛକ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥାକୁ ନେଇ ଯୁବ ସମାଜସେବୀ ସନ୍ତୋଷ ମଲ୍ଲିକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲ ଖମା ଯୋଗୁଁ ପ୍ରତିଦିନ ହଜାର ହଜାର ଯାତ୍ରୀ ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି । ଏହି ଜାତୀୟ ରାଜପଥ ଉପରେ ପ୍ରାୟ ଚାରିଟି ଜିଲ୍ଲାର ଲୋକ ନିର୍ଭରଶୀଳ । ପ୍ରତିଦିନ ପ୍ରାୟ ଏକ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ସ୍କୁଲ ଓ କଲେଜକୁ ଯାତାୟାତ କରୁଛନ୍ତି । ଏଭଳି ଅବସ୍ଥାରେ ଯେକୌଣସି ସମୟରେ ବଡ଼ ଦୁର୍ଘଟଣା ଘଟିପାରେ ବୋଲି ସେ ଆଶଙ୍କା ଅଛି । ଜରୁରୀକାଳୀନ ସେବା ଯଥା ୧୦୮ ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଶୀଘ୍ର ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହେଉଛି , ଫଳରେ ଗୁରୁତର ରୋଗୀଙ୍କ ଜୀବନ ବିପଦରେ ପଡୁଛି । ପୂର୍ବରୁ ଏହି ରାସ୍ତାକୁ ଚାରି ଲେନ୍ରେ ପରିଣତ କରିବା ପାଇଁ ଘୋଷଣା କରାଯାଇଥିଲା , କିନ୍ତୁ ଆଜି ପର୍ଯ୍ୟନ୍ତ ସେହି ଘୋଷଣା କେବଳ କାଗଜ-କଲମରେ ସୀମିତ ରହିଛି । ପ୍ରକଳ୍ପର କାମ ଆରମ୍ଭ ହୋଇନଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଯଥାଶୀଘ୍ର ରାସ୍ତା ମରାମତି ଓ ଚାରି ଲେନ୍ କାର୍ଯ୍ୟ ଆରମ୍ଭ କରାଯାଉ , ନଚେତ୍ ଆଗାମୀ ଦିନରେ ସାଧାରଣ ଜନତା ଗଣତାନ୍ତ୍ରିକ ଉପାୟରେ ରାଜରାସ୍ତା ଅବରୋଧ କରି ପ୍ରତିବାଦ କରିବାକୁ ବାଧ୍ୟ ହେବେ ବୋଲି ଯୁବ ସମାଜସେବୀ ଚେତାବନୀ ଦେଇଛନ୍ତି ।
ଫୁଲନଖରାରୁ ଚାରିଛକ ପର୍ଯ୍ୟନ୍ତ ରାସ୍ତାର ଶୋଚନୀୟ ଅବସ୍ଥା !!!

