Site icon Awaj Media

୮୦ତମ ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସ‌ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ ଜିଲ୍ଲାପାଳଙ୍କ ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୮୦ତମ ସ୍ବାଧୀନତା ଦିବସ‌ ପାଳନ ନିମନ୍ତେ ଆଜି ଅପରାହ୍ନ ୪ ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଅଧ୍ଯକ୍ଷତା କରି ଜିଲ୍ଲାସ୍ତରୀୟ ସ୍ବାଧୀନତା ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ନାୟକ,ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଲଗ୍ନଜିତ ରାଉତ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ସୁଜାତା କୁମାରୀ ସାହୁ ପ୍ରାରମ୍ଭିକ ସ୍ବାଗତ ଭାଷଣ ରଖିଥିଲେ । ପୂର୍ବବର୍ଷ ପ୍ରସ୍ତୁତି ବୈଠକର ବିବରଣୀ ପାଠ କରାଯିବା ସହ ଚଳିତ ବର୍ଷ ବୈଠକର ନିଷ୍ପତ୍ତି ଅନୁଯାୟୀ ଆଗାମୀ ଅଗଷ୍ଟ ୧୫ଦିନ ଜିଲ୍ଲାସ୍ତରୀୟ ଜାତୀୟ ପତାକା ଉତ୍ତୋଳନ ପୂର୍ବାହ୍ନ ୯ ଘଟିକାରେ ଅନୁଷ୍ଠିତ ହେବ । ପ୍ରତ୍ୟେକ କାର୍ଯ୍ୟାଳୟର ମୁଖ୍ୟମାନେ ନିଜ ନିଜର କାର୍ଯ୍ୟାଳୟରେ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଅଗଷ୍ଟ ୧୧,୧୨ ଓ ୧୩ ତାରିଖରେ ଅଭ୍ୟାସ ପ୍ୟାରେଡ୍ ପି.ଟି.ଏସ. ପଡ଼ିଆ ଠାରେ ଅନୁଷ୍ଠିତ ହେବ । ସ୍କୁଲ ଓ କଲେଜସ୍ତରରେ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଗଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କାରାଗାରର ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯିବା ପାଇଁ ସ୍ଥିରୀକୃତ ହେଲା l ରୋଟାରୀ କ୍ଲବ ଓ ନୟାଗଡ଼ ବ୍ଲଡ୍ ବ୍ୟାଙ୍କ ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଗଲା । ଏହି ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗର ଯନ୍ତ୍ରୀ, ସାମ୍ବାଦିକ, ଘରୋଇ ବସ ସଂଘର ସଭାପତି, ବିଭିନ୍ନ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା, ବରିଷ୍ଠ ନାଗରିକଏବଂ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଅନୁମତି କ୍ରମେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ଧନ୍ୟବାଦ ଅର୍ପଣ କରିବା ପରେ ପରେ ସଭା ସାଙ୍ଗ କରାଯାଇଥିଲା ।

Exit mobile version