Site icon Awaj Media

ବାରଙ୍ଗ ରେ 50-50 // ହେଲେ ବାଙ୍କୀ ଡମପଡ଼ାରେ 72 – 28 : ସବୁ ଅନର୍ଥର ସିଧା ହିସାବ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ବିଜେପି ତରଫରୁ ବ୍ଲକ ଆଗରେ ଧାରଣା , ପ୍ରଥମେ ବାଙ୍କୀ ବ୍ଲକ ଆଉ ଦୁଇ ଦିନ ପରେ ଡମପଡା ବ୍ଲକ ରେ ସମାନ ଦୃଶ୍ୟ ! ଅନିୟମିତତା କୁ ବିରୋଧ କରି ଆନ୍ଦୋଳନ କରୁଛନ୍ତି ବିଜେପି ନେତା ଓ କର୍ମୀ ! କେତେବେଳେ ଅର୍ଥ ତୋଷରପାତ ର ଅଭିଯୋଗ ତ ଆଉ କେତେବେଳେ ଅଧିକାରୀ ରହୁନଥିବାରୁ ଲୋକେ ଅସୁବିଧାରେ ପଡୁଥିବାର ଅଭିଯୋଗ ! ସାମାଜିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ଖବର କାଗଜ ଏବଂ ଟିଭିରେ ଏହି ବିଷୟକୁ ନେଇ ଏବେ ଚର୍ଚ୍ଚା ଜୋରଦାର ! ବିଗତ ବର୍ଷ ମାନଙ୍କରେ ମଧ୍ୟ ବାଙ୍କୀ ବିଜେପି ତରଫରୁ ଆନ୍ଦୋଳନ ହେଉଥିଲା , ହେଲେ ସେତେବେଳେ ରାଜ୍ୟରେ ସରକାର ଥିଲା ବିଜୁ ଜନତା ଦଳର ! କିନ୍ତୁ ଏବେ ତ ସ୍ଥିତି ଅଲଗା , ରାଜ୍ୟରେ ବିଜେପି ର ସରକାର ! ବାଙ୍କୀ ରେ ଯେଉଁ ସବୁ କାର୍ଯ୍ୟାଳୟରେ ଅନିୟମିତତା ଅଭିଯୋଗ ଆସୁଛି ତାହା ଯେଉଁ ବିଭାଗ ଅଧୀନରେ ସେହି ବିଭାଗର ମନ୍ତ୍ରୀ ତ ବିଜେପି ର ନେତା ! ତେବେ ଆନ୍ଦୋଳନ କାହିଁକି ତାହା ସହଜେ ବୁଝା ପଡୁନି ! 2024 ପୂର୍ବର ଆନ୍ଦୋଳନ ଆଉ 2024 ପରର ଆନ୍ଦୋଳନ ଭିତରେ ରହିଛି ବହୁତ ତଫାତ ! ଆଗରୁ ଦାବୀପତ୍ର ଦେଇ ମିଡ଼ିଆ ରେ ବାଇଟ ଦେଇ ଫେରି ଯାଉଥିଲେ ନେତା , ହେଲେ ଏବେ କାର୍ଯ୍ୟାଳୟ ଭିତରେ ପଶି ନେତା ଓ କର୍ମୀ ପୁରା ରୋବାବ ଦେଖାଉଛନ୍ତି ! ହଁ ଡବଲ ଇଂଜିନ ଇଫେକ୍ଟ ବୋଧେ , ତେବେ 2024 ରେ ରାଜ୍ୟରେ ସରକାର ବଦଳିବା ପରେ ଆରମ୍ଭ ହୋଇଛି ଏହି ନୂଆ ଟ୍ରେଣ୍ଡ ! ରାଜ୍ୟରେ ବିଜେପି କ୍ଷମତାକୁ ଆସିଥିଲେ ସୁଦ୍ଧା ବାଙ୍କୀର ଜିତିଥିଲେ ବିଜେଡି ନେତା ! ବାଙ୍କୀ ରେ ବିଜେପିର ହେଲା ପରାଜୟ , ହେଲେ ତାପରେ ଆରମ୍ଭ ହୋଇଥିଲା ନିୟନ୍ତ୍ରଣ କୁ ନେବା ପ୍ରକ୍ରିୟା – ଖଣି ଖାଦାନ ମାଛ ପାଟ ନିଲାମ ଠାରୁ ବାଲିଘାଟ ଏପରିକି ସରକାରୀ ଦପ୍ତର ସବୁରେ ପ୍ରଭାବ ପାଇଁ ଆରମ୍ଭ ହେଲା ଚେଷ୍ଟା ! ସବୁ ଠାରୁ ଅଧିକ ଫୋକସ ରେ ରହିଲା ଠିକାଦାରୀ କାମ , ଭଗବଣ୍ଟାକୁ ନେଇ ବିଗତ ଦିନରେ କାର୍ଯ୍ୟାଳୟରେ ଅଚଳାବସ୍ଥା ହେବା ପରେ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପରେ 60 – 40 ରେ ବାଙ୍କୀ ଚାଲିଲା ! ଦେଢ଼ ବର୍ଷ ପାଖାପାଖି କୌଣସି ମତେ ଚାଲିଗଲା , କିନ୍ତୁ ବାଙ୍କୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ଅତିଥି ହେବା ପରେ ବଦଳିଲା ସମୀକରଣ ! ବାଙ୍କୀ ର ନୂହେଁ , ବାଙ୍କୀ ବିଜେପିର ସମୀକରଣ ବଦଳିଗଲା ! ବହୁତ କଥା ଠାର ରେ କହିଲୁ , ଏବେ ସିଧା କହିବା , ନହେଲେ ଦର୍ଶକ କହିବେ ଯଦି ନାଁ ନେବାକୁ ସାହସ ନାହିଁ .ତେବେ ଖବର କାହିଁ କରୁଛ ! ହଁ ତେବେ ବାଙ୍କୀ ମହୋତ୍ସବ ମଞ୍ଚରେ ମୁଖ୍ୟମନ୍ତ୍ରୀ ଙ୍କ ସହ ଉପସ୍ଥିତ ରହିଲେ ବାଙ୍କୀ ବିଜେପି ନେତା ତଥା ଆଗରୁ ଦୁଇ ଥର ଦଳୀୟ ଟିକେଟ ରେ ଲଢ଼ିଥିବା ଶୁଭ୍ରାଂଶୁ ମୋହନ ପାଢୀ ! ଆଉ ମହୋତ୍ସବ ସରି ଟେଣ୍ଟ ଖୋଲା ହେଲା ବେଳକୁ ତାଙ୍କ ଅନୁଗତ କହିଲେ ଆମ ନେତା ଏବେ ଅସଲ ବିଜେପି , ତୁଷାରକାନ୍ତ ବାବୁ ଙ୍କର ସମୟ ସରିଲା ! ଆଉ ସତରେ କାମ ଭାଗ ବଣ୍ଟା ରେ ତାହା ଦେଖିବାକୁ ମିଳିଲା ! 60 – 40 ରେ ଚାଲିଥିବା ବାଙ୍କୀ ର ନୁଆ ହିସାବ ହେଲା 60 -20 -20 ! ଏପ୍ରକାର ହିସାବରେ ଛ ସାତ ମାସ ଚାଲିଲା , ହେଲେ ଖେଳ ପୁରା ବଦଳିଲା ରାଜ୍ୟ ସଭା କ୍ରସ ଭୋଟିଂ ଆଉ ବାଙ୍କୀ ବିଧାୟକ ବିଜେଡି ରୁ ନିଲମ୍ବିତ ହେବା ପରେ ! ଅକ୍ଟୋବର 2025 ରେ ମୁଖ୍ୟମନ୍ତ୍ରୀ ବାଙ୍କୀ ମହୋତ୍ସବରେ ଅତିଥି , ମାର୍ଚ୍ଚ 2026 ରେ ରାଜ୍ୟସଭା ଭୋଟ , ଆଉ ଜୁନ ମାସରେ ବିଧାୟକଙ୍କ ଏକ ପାରିବାରିକ ଉତ୍ସବରେ ମୁଖ୍ୟମନ୍ତ୍ରୀ ଙ୍କ ଯୋଗଦାନ ! ତାପରେ ରାଜ୍ୟ ସରକାରଙ୍କ ଗେଲ୍ହା ପୁଅ ହେଇଗଲେ ବାଙ୍କୀ ବିଧାୟକ ! ଏକ ଅସମର୍ଥିତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନକୁ ଯାଇଥିବା ତାଲିକାରେ ଦୁଇ ନମ୍ବର ସ୍ଥାନରେ ଅଛନ୍ତି ବାଙ୍କୀ ବିଧାୟକ , ଏକ ରେ ଅବଶ୍ୟ ଇଂଲିଶ ବିଧାୟକ ଆଉ ତିନିରେ ଅଛନ୍ତି ବଡମ୍ବା ର ସ୍ୱାଧୀନ ବିଧାୟକ ! ଛାଡ ସେକଥା ଆମେ ଆଉ କଟକ ସଦର କି ବଡମ୍ବା ଆଡେ ନଯାଇ ବାଙ୍କୀ ଭିତରେ ରହିବା ! ଗୋଟିଏ ପଟେ ଆସ୍ଥାନ ଜମାଇଲେ ବାଙ୍କୀ ବିଧାୟକ , ଆଉ ସେପଟେ ବିଜେପି ହେଲା ଦୁଇ ଫାଳ ! ଆଗରୁ ଅବଶ୍ୟ ବାଙ୍କୀ ବିଜେପି ତିନି ଭାଗୁଆଳି ହୋଇ ରହିଥିଲା ! ବାଙ୍କୀର ବିଜେପିର ଦୁଇ ସମାନ୍ତରାଳ ସଂଗଠନ ଚାଲିଥିବା ବେଳେ ନିଟ ପେପର ଲିକ , ଛାତ୍ର ଆତ୍ମହତ୍ୟା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ତାଙ୍କ ଅନୁଗତ ତୁଷାରକାନ୍ତଙ୍କୁ ବ୍ୟାକ ଫୁଟ କୁ ନେଇଗଲା ! ସେପଟେ ଶୁଭ୍ରାଂଶୁ ମୋହନ ପାଢୀ ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପଦ ପାଇବା ସହ ମୋହନ – ମନମୋହନ କ୍ୟାମ୍ପ୍ ରେ ନିଜ ସ୍ଥିତି ଦୃଢ କରିନେଲେ ! ଏପରିକି ଏବେ ନଗଦ ତାଙ୍କୁ କଟକ ସାଂସଦ ମହତାବ ବାବୁ ଙ୍କର ପ୍ରଜାତନ୍ତ୍ର କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ! ହେଲେ ବାଙ୍କୀ ର ତୃଣମୂଳ ସ୍ତରରେ ବିଜେପି ଅବସ୍ଥା ସୁଧାରିଥିବା , ଅନେକ ମିଶ୍ରଣ ପର୍ବ କରିଥିବା ଏପରିକି 2022 ପଂଚାୟତ ନିର୍ବାଚନରେ ବି ବାରଂଗ 32 ନମ୍ବର ଜୋନ ରେ ଜିଲ୍ଲା ପରିଷଦ ଜିତିଥିବା ତୁଷାରକାନ୍ତ ଚକ୍ରବର୍ତ୍ତୀ ଛାଡ଼ିବେ କେମିତି ! ଶେଷ ତଥ୍ୟ ଅନୁଯାୟୀ ଯେତେବେଳେ ବାଙ୍କୀ ର ହିସାବ 72 -28 ରେ ଆସିଗଲା ସବୁ ଧର୍ଯ୍ୟ ଭାଙ୍ଗିଲା , ଅବଶ୍ୟ ବାରଂଗ ରେ ହିସାବ 50 -50 ରେ ଅଛି ! ସାଧାରଣ ଲୋକେ ଆବାସ ଯୋଜନା ପାଇବାରୁ ବଂଚିତ , ବିକଶିତ ଗାଁ ବିକଶିତ ଓଡ଼ିଶାର ଅର୍ଥ ହଡପ , ଡମପଡା ବିଡ଼ିଓ ଅନୁପସ୍ଥିତ ରହିବା ଏସବୁ ଦାବୀ ଆଉ ଅଭିଯୋଗକୁ ଆମେ ଅସ୍ବୀକାର କରୁନୁ , କିନ୍ତୁ ଅସଲ କାରଣ 72 – 28 ରେ ଅଟକି ରହିଛି !

Exit mobile version