ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଭୁବନେଶ୍ବର ଏବଂ ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ, ପାରଳାଖେମୁଣ୍ଡିର ମିଳିତ ସହଯୋଗରେ ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯୫ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ନଗରଭବନ ଠାରେ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥ୍ ଶ୍ରୀଯୁକ୍ତ ଅନୁପ ପଣ୍ଡା, ଉପ-ଜିଲ୍ଲାପାଳ, ପାରଳାଖେମୁଣ୍ଡି,ସମ୍ମାନିତ ଅତିଥି ପଣ୍ଡିତ ରଘୁନାଥ ପାତ୍ର, ସଦସ୍ୟ ଓଡିଶା ସଂଗୀତ ନାଟକ ଏକାଡେମୀ ତଥା ଦୁରଦର୍ଶନ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ, ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ସାଂସ୍କୃତି କ କାର୍ଯ୍ୟକ୍ରମରେ ଆକାଶବାଣୀ ଓ ଦୂରଦର୍ଶନ ସ୍ବୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ଡ.ଚନ୍ଦନ ଗନ୍ତାୟତ ଓ ସାଥୀଙ୍କ ଦ୍ବାରା ପଦ୍ମଶ୍ରୀ ରଘୁନାଥ ପାଣିଗ୍ରାହୀଙ୍କ ସଂଗୀତ, ପଦାମୃତ ନୃତ୍ୟାୟନ ଓ ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର,ସମଲେଇ ନୃତ୍ୟ କଳାପରିଷଦ ଅନୁଷ୍ଠାନ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା । ଭକ୍ତି ନୈବେଦ୍ୟ ସାଂସ୍କୃତିକ ଅନୁଷ୍ଠାନ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ଶେଷ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାପାଇଁ ଦର୍ଶକ ଙ୍କ ଭିଡ଼ ଲାଗି ରହିଥିଲା।
ସଙ୍ଗୀତ ସୁରମଣି ପଦ୍ମଶ୍ରୀ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ଏକାଧାରରେ ଜଣେ ସୁଦକ୍ଷ ଶାସ୍ତ୍ରୀୟ ସଙ୍ଗୀତ ଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଭାବେ ବେଶ ପରିଚିତ । ୧୦ ଅଗଷ୍ଟ ୧୯୩୨ରେ ଗୁଣପୁର ନିକଟସ୍ଥ ଲିହୁରୀ ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିବା ରଘୁନାଥ ପିଲାଟି ବେଳରୁ ହିଁ ପିତା ପଣ୍ଡିତ ନୀଳମଣି ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେ ବିଜୟନଗର ସଙ୍ଗୀତ ମହାବିଦ୍ୟାଳୟର ତତ୍କାଳୀନ ଅଧ୍ଯକ୍ଷ ଦ୍ବାରମ୍ ଭେଙ୍କଟସ୍ବାମୀ ନାଇଡୁ, ପଣ୍ଡିତ ନରସିଂହ ଶର୍ମା ଓ ପଣ୍ଡିତ ବିଶ୍ବନାଥ ଦାଶ ଭଳି ମହାନ ଗୁରୁଙ୍କ ଠାରୁ ସଙ୍ଗୀତ ଶିକ୍ଷା କରିଥିଲେ I ସେ କେବଳ ଓଡିଆ ନୁହେଁ, ତେଲୁଗୁ, ତାମିଲ, କନ୍ନଡ ଭାଷାର ଅନେକ ଚଳଚିତ୍ରରେ ମଧ୍ଯ କଣ୍ଠ ଦାନ କରି ବେଶ ସୁନାମ ଅର୍ଜନ କରିଥିଲେ । ବିଶେଷ କରି ନିଜ ଶୈଳୀରେ ଗୀତ ଗୋବିନ୍ଦ ଗାୟନ କରି ସେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଧର୍ମପତ୍ନୀ ସଂୟୁକ୍ତା ପାଣିଗ୍ରାହୀଙ୍କ ଓଡି ଶୀ ନୃତ୍ୟରେ ରଘୁନାଥଙ୍କ ଗାୟନ ଦେଶ ବିଦେଶରେ ସ୍ବତନ୍ତ୍ର ଛାପ ସୃଷ୍ଟି କରିଥିଲା । ସେ ଲିହୁରୀରେ ଜନ୍ମ ଗ୍ରହଣ କରିଥିଲେ ମଧ୍ୟ ତାଙ୍କ ସଙ୍ଗୀତ ସାଧନା ପାରଳାଖେମୁଣ୍ଡିର ବିଭିନ୍ନ ସଙ୍ଗୀତ ବିଦ୍ବାନଙ୍କ ସଙ୍ଗତରେ ହୋଇଥିଲା । ବିଶିଷ୍ଟ ବୀଣା ବାଦକ ତଥା କଣ୍ଠଶିଳ୍ପୀ ପଣ୍ଡିତ ତୁଳସୀ ଦାଶ, ସୁଦକ୍ଷ ବୀଣା ବାଦକ ପଣ୍ଡିତ ଭକ୍ତ ବତ୍ସଳ ପାତ୍ର, ପଣ୍ଡିତ ଅନନ୍ତ ଚରଣ ପାତ୍ର, ବେହେଲା ବାଦକ ଗୁରୁ ଡି.ସୁରି ନାରାୟଣା ଏବଂ ଓଡିଶୀ କଣ୍ଠଶିଳ୍ପୀ ନାରାୟଣ ବେହେରା ପ୍ରମୁଖଙ୍କ ସହ ସେ ଦୀର୍ଘ ସମୟ ଧରି ସଙ୍ଗୀତ ସାଧନା କରିବାର ସୁଯୋଗ ପାଇଥିଲେ । ଗୀତ ଗୋବିନ୍ଦ ପାଣିଗ୍ରାହୀ ଭାବେ ପରିଚିତ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ପ୍ରଥମ ଓଡିଆ ଗାୟକ ଯିଏ ଫ୍ରାନସ ସରକାରଙ୍କ ଦ୍ବାରା ୧୯୮୨ ମସିହାରେ ଗ୍ରାଣ୍ଡ ପ୍ରିକ୍ସ ଆୱାର୍ଡରେ ସମ୍ମାନୀତ ହୋଇଥିଲେ। ଗୀତ ଗୋବିନ୍ଦ ଗାୟନ କରିଥିଲେ ପାଇଁ ୧୯୬୮ ମସିହାରେ ସୁରମଣି ସମ୍ମାନ, ୨୦୦୮ ମସିହାରେ ରାଜ୍ୟ ସରାକାରଙ୍କ ଦ୍ବାରା ଜୟଦେବ ସମ୍ମାନ ଏବଂ ୨୦୧୦ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ହୋଇଥିଲେ । ହେଲେ ୨୫ ଅଗଷ୍ଟ ୨୦୧୩ରେ ସୁରମଣିଙ୍କ ସ୍ବର ନିରବୀ ଯାଇଥିଲା । ଯାହା ଓଡ଼ିଶୀ ସଙ୍ଗୀତ ପାଇଁ ଅପୁରଣୀୟ କ୍ଷତି।
ପଣ୍ଡିତ ରଘୁନାଥ ପାଣିଗ୍ରାହୀଙ୍କ ୯ ୫ତମ ଜୟନ୍ତୀ ଉତ୍ସବ !!!

