ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ବହୁ ଅବ୍ୟବସ୍ଥା ଭିତରେ ରହିଛି ତାଳବସ୍ତ ଗ୍ରାମ ପଂଚାୟତ ର ବିଦ୍ୟାଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ , ଅଧାରୁ ପାଚେରୀ କାମ ବନ୍ଦ , ବୁଲା ଗାଈ ଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଛି ସ୍କୁଲ ବାରଣ୍ଡା | ରାଜ୍ୟ ଏବଂ କେନ୍ଦ୍ର ସରକାର ଚଳିତ ବର୍ଷ ଠାରୁ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ନୂତନ ଶିକ୍ଷାନୀତି ପ୍ରଚଳନ ସହିତ ନୂଆ ଶିଶୁବାଟିକା ଶ୍ରେଣୀ ଖୋଲିଛନ୍ତି | ଗ୍ରାମାଞ୍ଚଳରେ ପ୍ରାଥମିକ ଶିକ୍ଷାର ଉର୍ନ୍ନତି ପାଇଁ ଶିକ୍ଷାବିଭାଗ ବହୁ ଯୋଜନା ଭିତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଅଛି କିନ୍ତୁ ଏହାର ଏକ ବିକଳ ଦୃଶ୍ୟ ଦେଖିବାକୁ ମିଳିଛି ଡମପଡା ବ୍ଳକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପଂଚାୟତର ବିଦ୍ୟାଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ | କିଛିଦିନ ହେବ ବାଙ୍କୀରେ ମହାନଦୀ ବନ୍ୟା ଏବଂ ପ୍ରତିଦିନ ବର୍ଷା ଲାଗିରହିଛି | ପ୍ରତିବର୍ଷ ବର୍ଷା ଚାରିମାସ ବିଦ୍ୟାଳୟ ପରିସର ପାଣି ଜମି ରହିବା ସହିତ ବିଦ୍ୟାଳୟର ସମସ୍ତ ବାରଣ୍ଡା ଗୁଡିକ ବର୍ଷସାରା ବୁଲା ଗାଈ ଗୋରୁ, ଷଣ୍ଢଙ୍କ ରାତ୍ରୀ ଆଶ୍ରୟସ୍ଥଳୀ ପାଲଟିଛି | ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସନ୍ନ ସାହୁଙ୍କ କହିବାନୁସାରେ ବିଦ୍ୟାଳୟଟି 44 ବର୍ଷର ପୁରାତନ ବିଦ୍ୟାଳୟ ଯାହା 15.02.1982 ମସିହାରେ ସ୍ଥାପିତ ହୋଇଥିଲା | 2 ଶହରୁ ଅଧିକ ପିଲା ଏଠାରେ ପଢ଼ିବା ସହିତ ବିଦ୍ୟାଧରପୁର ଗ୍ରାମର ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଉକ୍ତ ସ୍କୁଲ ପରିସରରେ ଚାଲୁଅଛି | ଆଜି ପର୍ଯ୍ୟନ୍ତ ବିଦ୍ୟାଳୟର ସ୍ଥାୟୀ ପାଚେରୀ ନ ଥିବାରୁ ସନ୍ଧ୍ୟାହେଲେ ନିଶାଡି ମଦୁଆଙ୍କ ଆଡା ପାଲଟୁଛି ବିଦ୍ୟାଳୟ ପ୍ରାଙ୍ଗଣ | ଠିକ ସମୟରେ ଦିନ ଦଶଟାରେ ବିଦ୍ୟାଳୟ ଖୋଲୁଥିଲେ ମଧ୍ୟ ପ୍ରାୟ ଘଣ୍ଟେ ସମୟ ପିଣ୍ଡାରୁ ଗୋବର ସଂଗ୍ରହ କରି ବାରଣ୍ଡା ସଫା ସୁତରା ଧୋଇବାରେ ଯାଉଛି ପ୍ରତିଦିନ | ବିଳମ୍ବ ପାଇଁ ପିଲାମାନଙ୍କର ପାର୍ଥନା ଏବଂ ପ୍ରଥମ ଦୁଇଟି କ୍ଲାସ ହୋଇ ପାରୁନାହିଁ | ବିଦ୍ୟାଳୟର ପୁରାତନ ଛାତ୍ର ତଥା ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ ବାପି ସରକାର କୁହନ୍ତି ଯେ ବିଦ୍ୟାଳୟରେ ନିହାତି ପାଚେରୀ ନିର୍ମାଣ ହେବା ଦରକାର | ସେଥିପାଇଁ ଆମ୍ଭେ ଅରପୁର, କୃଷ୍ଣପଲ୍ଲୀ ଏବଂ ବିଦ୍ୟାଧରପୁର ଗାଁର ପଢ଼ୁଥିବା ଅଭିଭାବକ ମାନଙ୍କୁ ନେଇ ବହୁବାର ବିଧାୟକ, ବ୍ଳକ ଶିକ୍ଷା ଅଧିକାରୀ, ବ୍ଳକ ବିଡ଼ିଓ ଓ ଅଧ୍ୟକ୍ଷଙ୍କୁ ଦେଖାକରି ଦରଖାସ୍ତ ଦେଉଅଛୁ,ହେଲେ କୌଣସି ସୁଫଳ ମିଳୁନାହିଁ କି କାର୍ଯ୍ୟରେ ଅଗ୍ରଗତି ହେଉନାହିଁ ବରଂ ଦିନକ ଦିନ ସ୍କୁଲର ପୂର୍ବଗାରିମାର ଶୈକ୍ଷିକ, ନୈତିକ ଓ ଶିକ୍ଷା ବାତାବରଣ ନଷ୍ଟ ହେଉଅଛି | ବର୍ତ୍ତମାନ ନୂଆ କମିଟିର ସଭାପତି ବିଜୟ କୁମାର ଦାସ କୁହନ୍ତି ମୁଁ ମୋ ବ୍ୟକ୍ତିଗତ ପାଇଁ ସଭାପତି ପଦ ନେବାକୁ ଚାଁହୁନାହିଁ |ତେଣୁ ପ୍ରଧାନ ଶିକ୍ଷକଙ୍କୁ ଜଣାଇ ଦେଇଛି |ବିଦ୍ୟାଳୟ ଉପରେ କହିବାଟା ଠିକ ହେବ ନାହିଁ | କିନ୍ତୁ ପ୍ରଧାନ ଶିକ୍ଷକ କହୁଛନ୍ତି ବିଦ୍ୟାଳୟର ନୂଆ କମିଟିର ସଭାପତି ଯାହା କିଛି କରିବେ | ବିଦ୍ୟାଳୟର ପୂର୍ବତନ କମିଟି ସଭାପତି ଶିଶିର କୁମାର ଦାସ କୁହନ୍ତି ଯେ ଦେଢ଼ ବର୍ଷ ତଳେ ଉକ୍ତ ବିଦ୍ୟାଳୟକୁ ବିଧାୟକଙ୍କ ଅନୁମୋଦନରେ ବ୍ଲକରୁ କୋଉ ଏକ ବିଭାଗରୁ ଅଢେଇଲକ୍ଷ ଟଙ୍କାର ଅନୁଦାନ 2024/25 ବର୍ଷରେ ଆସିଥିଲା ଯାହାକୁ ତାଳବସ୍ତ ଗ୍ରାମର ୱାର୍ଡ ସଭ୍ୟ ଲିପୁନ କୁମାର ସାହୁ ଠିକାଦାରୀ ନେଇ କରିଥିଲେ | ଯେହୁତୁ ବିଦ୍ୟାଳୟ ପାଖରେ ତାଳବସ୍ତ ଗ୍ରାମ ପଂଚାୟତର ସରପଞ୍ଚ ମହୋଦୟାଙ୍କ ଘର ତେଣୁ ନିଜ ସମ୍ମାନରେ ଆଞ୍ଚ ଆସିଥିବା ମନେ କରି ବହୁ ବାଦବିବାଦରେ କଳହ ସୃଷ୍ଟି କରି କାମକୁ ଅଧାରୁ ବନ୍ଦ ରଖିଛନ୍ତି ଏବଂ ନିଜେ କାମକୁ କରିବେ ବୋଲି କହି ଏ ପର୍ଯ୍ୟନ୍ତ କରୁନାହାନ୍ତି | ପାଚେରୀ ପାଇଁ ଖୋଳା ଯାଇଥିବା ନିଅଁ ସବୁ ବର୍ଷା ଜଳରେ ପୋତି ହୋଇଗଲାଣି ଏବଂ ସ୍କୁଲ ହତାରେ ପକାଯାଇଥିବା ବାଲି, ଗୋଡି, ସିମେଣ୍ଟ ସବୁକୁ ନେଇ ଲିପୁନ କୁମାର ସାହୁ ତାଙ୍କର ଅନ୍ୟ ଏକ କାମରେ ବ୍ୟବହୃତ କରିଥିଲେ | ସେବେଠୁ ଆଜି ପର୍ଯ୍ୟନ୍ତ ଏହି ବିଦ୍ୟାଳୟଟିର ପାଚେରୀ କାର୍ଯ୍ୟ ଆରମ୍ଭ ହୋଇପାରିନି | ଏ ସମର୍କରେ କାର୍ଯ୍ୟ ବନ୍ଦ କରିଥିବା ତଳବସ୍ତ ସରପଞ୍ଚଙ୍କ ପ୍ରତିନିଧି ଆଲୋକ କୁମାର ସାହୁ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ | ଡମପଡା ବ୍ଳକ ଶିକ୍ଷା ଅଧିକାରୀ ଏ ପର୍ଯ୍ୟନ୍ତ କେହି ଆସିନାହାନ୍ତି ଯଦିଓ ପୂର୍ବ ଅଧିକାରୀ କାମରାଜ ସାହୁ ଆଜିକୁ 15 ଦିନ ହେବ ବଦଳି ହେଲେଣି | ବିଦ୍ୟାଳୟର ପୁରାତନ ଛାତ୍ର ସୁଜିତ କୁମାର ସ୍ବାଇଁ କୁହନ୍ତି ଯେ ବିଦ୍ୟାଳୟରେ ପିଲାମାନେ ଗୋବର ଗୋଟାଇ ସଫା କରି ପାଠ ପଢିବାର ଦୃଶ୍ୟ ବହୁତ କଷ୍ଟ ଦାୟକ ତେଣୁ ଶିକ୍ଷା ବିଭାଗ ଏହା ଉପରେ ତୁରନ୍ତ ତୀକ୍ଷ୍ମ ଦୃଷ୍ଟି ଦେବା ଉଚିତ | ସ୍ଥାନୀୟ ଅଂଚଳରେ ପାଠ ପଢ଼ାରେ ଉକ୍ତ ବିଦ୍ୟାଳୟର ବହୁ ସୁନାମ ରହିଛି ବୋଲି ଯୁବ ସଂଗଠକ ଅକ୍ଷୟ କୁମାର ବେହେରା କୁହନ୍ତି ତେଣୁ ସେ ଶିକ୍ଷାବିଭାଗର ଉଚ୍ଚ ଅଧିକାରୀଙ୍କ ସହିତ ସାକ୍ଷାତ କରି ତୁରନ୍ତ ସମାଧାନ ପାଇଁ ଅନୁରୋଧ କରିବେ | ସ୍କୁଲ ପରିସରରେ ଅଙ୍ଗନବାଡ଼ି କେନ୍ଦ୍ରର 6 ଜଣ ଶିଶୁ ପିଲାଙ୍କ ସହିତ ନୂତନ ଶିଶୁ ବାଟିକାରେ 24 ଜଣ ଛାତ୍ର ଛାତ୍ରୀ ଅଛନ୍ତି |ପାଚେରୀ ନ ଥିବାରୁ ଦିନଯାକ କେବଳ ପିଲାଙ୍କୁ ଜଗିବାରେ ସମୟ ଯାଉଛି ବୋଲି ନୂତନ ଶିକ୍ଷାବାଟିକାର ସେବିକା ଚିନ୍ମୟୀ ବେହେରା କୁହନ୍ତି | ତେଣୁ ରାସ୍ତା କଡ଼ରେ ରହିଥିବା ଉକ୍ତ ବିଦ୍ୟାଧରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନିହାତି ପାଚେରୀଟିଏ ନିର୍ମାଣ ହେବାର ଆବଶ୍ୟକତା ରହିଛି | ବର୍ଷା ହେଲେ ସ୍କୁଲ ପରିସର ଗୋଟେ ପ୍ରକାର କୁତ୍ରିମ ବନ୍ୟାର ଦୃଶ୍ୟ ତିଆରି କରୁଅଛି | ବିଦ୍ୟାଳୟର ରୋଷେଇ ଘରେ ପିଣ୍ଡା ନ ଥିବାରୁ ବର୍ଷା ସମୟରେ କାର୍ଯ୍ୟ କରୁଥିବା ପାଚିକାମାନେ ଖୋଲା ସ୍ଥାନରେ ଓଦା ହୋଇ ପରିବାପତ୍ର କାଟୁଛନ୍ତି | ଏଥିପାଇଁ ନୂତନ ବିଦ୍ୟାଳୟ କମିଟି ଦୃଷ୍ଟି ଦେଇ ରୋଷେଇ ଘର ପାଖରେ ଟିଣ ଆଜବେଷ୍ଟ ସହ ପିଣ୍ଡା ବନେଇଵା ଦରକାର ବୋଲି ବିଦ୍ୟାଳୟର ଶିକ୍ଷକ ଗଗନ କୁମାର ବେହେରା କହିଛନ୍ତି | ଏହି ବିଦ୍ୟାଳୟ ପାଇଁ ନୂତନ ଶୌଚାଳୟ ପାଇଁ ଲକ୍ଷେ ଟଙ୍କାର ଅନୁଦାନ ଆସିଥିଲେ ମଧ୍ୟ ତାହାକୁ ତାଳବସ୍ତ ସରପଞ୍ଚ ଏ ପର୍ଯ୍ୟନ୍ତ କାର୍ଯ୍ୟ କରି ନ ଥିବାର ଅଭିଯୋଗ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣିରେ ପଡିଥିଲା ବୋଲି କହିଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ରୀ ସୁଜାତା ନାୟକ ||
ବହୁ ଅବ୍ୟବସ୍ଥା ଭିତରେ ବିଦ୍ୟାଳୟ : ପ୍ରଶାସନର ନଜର ନାହିଁ !!!

