Site icon Awaj Media

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ଏବଂ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ଯୋଗଦେଇ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ । ଉକ୍ତ ଶିବିରରେ ମୋଟ ୧୦୧ଟି ଅଭିଯୋଗପତ୍ର ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୭୭ଟି ବ୍ୟକ୍ତିଗତ ଏବଂ ୨୪ଟି ଗ୍ରାମଭିତ୍ତିକ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା । ଅନ୍ୟ ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ନିମନ୍ତେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ୯ ଜଣ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇଥିଲା । ୨୦ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି । ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ମନରେଗା, ଗୃହ ନିର୍ମାଣ, ରାସନ କାର୍ଡ, ଶିକ୍ଷା, ଜଳସେଚନ, ରାସ୍ତା, ସ୍ୱାସ୍ଥ୍ୟ ଆଦି ବିଭିନ୍ନ ସମସ୍ୟା ସମ୍ପର୍କରେ ଜନସାଧାରଣ ଅଭିଯୋଗ ଆସିଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଗୋଷଣି ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଏନ୍.ବୀରାରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

Exit mobile version