ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କେନ୍ଦ୍ର ସରକାରଙ୍କ ସ୍ଲୋଗାନ ଥିଲା ଆଛେ ଦିନ – ଆଉ ରାଜ୍ୟ ସରକାର କହୁଛନ୍ତି ବିକଶିତ ଓଡିଶା ! ହେଲେ ରାଜ୍ୟରେ ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଜିନିଷର ଦର ଗତ କିଛି ଦିନ ମଧ୍ୟରେ ଅହେତୁକ ବୃଦ୍ଧି ପାଇଛି । ସର୍ବାଧିକ ଦରବୃଦ୍ଧି ଚିନିରେ ଦେଖିବାକୁ ମିଳିଛି , ଦୁଇ ସପ୍ତାହ ପୂର୍ବେ କେଜି ୫୫ ଟଙ୍କାରେ ବିକ୍ରି ହେଉଥିବା ଚିିନି ଏବେ ୬୫ ଟଙ୍କାରେ ପହଞ୍ଚିଛି । ବଜାରରୁ ସଂଗୃହୀତ ତଥ୍ୟ ଅନୁସାରେ , ପିଆଜ କେଜି ୫୦ ଟଙ୍କା ଓ ଟମାଟୋ କେଜି ୮୦ ଟଙ୍କା ହୋଇଯାଇଛି । କାଙ୍କଡ଼ କେଜି ୨୦୦, ଅଦା କେଜି ୨୦୦, ରସୁଣ କେଜି ୨୪୦ , ବନ୍ଧାକୋବି କେଜି ୩୦, ଗାଜର କେଜି ୫୦, କଲିକତି ପୋଟଳ ୫୦ ଟଙ୍କା, କଲରା କେଜି ୫୦ରୁ ୬୦, ବାଇଗଣ କେଜି ୫୦ରୁ ୬୦, ଜହ୍ନି କେଜି ୮୦, ଭଣ୍ଡା କେଜି ୨୦ରୁ ୨୫, ଆଳୁ କେଜି ୨୦ରୁ ୨୨, ବାହାରୁ ଆସୁଥିବା ବିନ୍ କେଜି ୧୬୦, କୋରାପୁଟ ବିନ୍ କେଜି ୮୦ରୁ ୧୦୦ ଟଙ୍କା ରହିଛି । ରାସନ ସାମଗ୍ରୀ ମଧ୍ୟରେ ରିଫାଇନ୍ ଖାଇବା ତେଲ ଲିଟର ୧୮୦ ଟଙ୍କା ଓ ସୋରିଷ ତେଲ ଲିଟର ୨୦୦ରୁ ୨୨୦ ଟଙ୍କାରେ ବିକ୍ରି ହେଉଛି । ତେଲ ଓ ଚିନି ଦରରେ ସପ୍ତାହକ ଭିତରେ କେଜି ପିଛା ୧୦ ଟଙ୍କାର ବୃଦ୍ଧି ହୋଇଛି । ଜିରା କେଜି ୨୦ ଟଙ୍କା ପାଖାପାଖି ବୃଦ୍ଧି ପାଇ ୨୯୦ ଟଙ୍କା ହୋଇଛି । ଦରବୃଦ୍ଧି କୁ ନେଇ ସରକାର ପୁରା ମଉନ ବ୍ରତ ଧାରଣ କରିଥିବା ସମୟରେ ସାଧାରଣ ଖାଉଟି ହେଉଛନ୍ତି ନାକେଦମ !
