Site icon Awaj Media

ମା’ ଭଗବତୀଙ୍କ ମନ୍ଦିରରେ ଗହ୍ମା ପର୍ବ ପାଳିତ : ଶକ୍ତିପୀଠରେ ବଳଭଦ୍ର ପୂଜା ଏକ ନିଆରା ପରମ୍ପରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଶ୍ରାବଣ ପୂର୍ଣ୍ଣିମା ଦିନ ସମଗ୍ର ଉତ୍କଳରେ ବଡ଼ ଠାକୁର ଶ୍ରୀ ଶ୍ରୀବଳଭଦ୍ର ଦେବଙ୍କ ଜନ୍ମଦିବସ ଭାବରେ ପାଳନ କରାଯାଏ ବିଶେଷକରି ଏହାକୁ ଗହ୍ମା ପର୍ବ ଭାବରେ ମଧ୍ୟ ପ୍ରତି ବିଷ୍ଣୁ ମନ୍ଦିର ରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଉଥିବାର ବିଧି ପରମ୍ପରା ଚଳିଆସିଥିବା ବେଳେ ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀଙ୍କ ପୀଠରେ ଏହି ପର୍ବ ପାଳନ କରାଯାଉଥିବା ସଂପୂର୍ଣ୍ଣ ଅନନ୍ୟ । ଏହିଦିନ ରାତ୍ର ଚାରିପ୍ରହରରେ ମା’ଙ୍କ ଚ଼ଳନ୍ତି ପ୍ରତିମା ସ୍ତମ୍ବେଶ୍ୱରୀ କାଠିଠାକୁରାଣୀ ବନଦୁର୍ଗା ବେଶରେ ପ୍ରଭୁଚନ୍ଦ୍ରଶେଖର ଓ ଶ୍ରୀଗୋପୀନାଥଙ୍କ ସହିତ ଥାଟପଟୁଆରରେ ନିଯୋଗୀ ସେବାୟତଙ୍କ ସହିତ ଘଣ୍ଟା କାହାଳୀ ଆଲଟ ଚ଼ାମର ଛତ୍ର ତରାଶ ଯୋଡ଼ା ମଶାଲ ରେ ବାଜାରୋଶଣୀ ରେ ପୂର୍ବ ଦିଗକୁ ଯାତ୍ରା କରି ସ୍ଥାନୀୟ ବିଷର ପାଟଣା ଛକ ପାଖକୁ ଯାତ୍ରା କରିଥିଲେ । ସେଠାରେ ପୂର୍ବରୁ ପଲେଇ ସେବକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ବାଲିର ବେଦୀ ଉପରେ ଉପବେଶନ କରିଥିଲେ । ଏକ ବାଛୁରୀକୁ ମଧ୍ୟ ପଲେଇ ସେବକ ବଳଭଦ୍ରଙ୍କ ପ୍ରତୀକ ଭାବରେ ସେଠାରେ ଧରି ରଖିଥିଲେ । ବାଛୁରୀକୁ ଚନ୍ଦନସିନ୍ଦୁର ପୁଷ୍ପମାଲ୍ୟ ପରିଧାନ କରାଯାଇଥିଲା । ପୂଜକ ସେଠାରେ ଦୀପ ଧୂପ ନୈବେଦ୍ୟ ଠା କରି ପଞ୍ଚଉପଚାରରେ ପୂଜା କରିଥିଲେ । କଦଳୀ ପତ୍ରରେ କେବଳ ନଡ଼ିଆପାତି ,ଶାକର, ଫଳମୂଳ ନୈବେଦ୍ୟ ଆକାରରେ ଧୂପ କରାଯାଇ ଆଳତି ବଢ଼ିଥିଲା । ପରେ ଘଣ୍ଟକାହାଳୀ ବାଦନରେ ମା’ଙ୍କ ଜୟଜୟକାର ଧ୍ୱନୀରେ ବାଛୁରୀକୁ ବାଲି ବେଦୀଡ଼ିଆଇଁ ଗହ୍ମାଡ଼ିଆ ନୀତିକାନ୍ତି ଶେଷ କରାଯାଇଥିଲା । ସେଠାରୁ ମା’କାଠି ଠାକୁରାଣୀ ପୂଜକଙ୍କ ଦୁଆରମାନଙ୍କରେ ଭୋଗ ଖାଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମା’ଙ୍କ ଏହି ନିଆରା ଗହ୍ମାଡ଼ିଆଁ ପର୍ବ ଦେଖିବା ପାଇଁ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲ। ।ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ବାଣପୁର ଥାନାଧିକାରୀ ଜୟପ୍ରକାଶ ପରୀଡ଼ାଙ୍କ ନେତୃତ୍ଵରେ ଆରକ୍ଷୀ ବାହାନୀ ଏବଂ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କଥା ମନ୍ଦିର ସୂତ୍ରରୁ ପ୍ରକାଶ ।

Exit mobile version