Site icon Awaj Media

ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ଛାତ୍ରବାସରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’ : ସଂସ୍କୃତ ଦିବସ ଓ ଶ୍ରାବଣ ପୂର୍ଣ୍ଣିମାର ଐତିହ୍ୟ ଆଲୋଚିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ରବାସ ପରିସରରେ ‘କୃପାଳୁ ଶିଶୁ ସାହିତ୍ୟ ଆସର’ ତରଫରୁ ଏକ ସ୍ୱତନ୍ତ୍ର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଳ-ମୁକୁନ୍ଦ କେନ୍ଦ୍ରର ସଂଯୋଜକ ଶ୍ରୀ ନିତ୍ୟାନନ୍ଦ ଚୌଧୁରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶ୍ୱ ସଂସ୍କୃତ ଦିବସ ଓ ଶ୍ରାବଣ ପୂର୍ଣ୍ଣିମାର ଆଧ୍ୟାତ୍ମିକ ତଥା ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ।
​ଶ୍ରୀ ଚୌଧୁରୀ ନିଜ ବକ୍ତବ୍ୟରେ ସଂସ୍କୃତ ଭାଷା ସହିତ ଗଣିତ, ବିଜ୍ଞାନ, କମ୍ପ୍ୟୁଟର ଆଲଗୋରିଦମ୍ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଗଭୀର ସମ୍ପର୍କ ବିଷୟରେ ଛାତ୍ରମାନଙ୍କୁ ବୁଝାଇଥିଲେ। ଏଥିସହ ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ, କୃଷି ଭିତ୍ତିକ ‘ଗହ୍ମା ପର୍ବ’, ଶ୍ରୀରାଧାକୃଷ୍ଣଙ୍କ ‘ଝୁଲଣ ଯାତ୍ରା’ ଏବଂ ସ୍ନେହ-ସୁରକ୍ଷାର ପ୍ରତୀକ ‘ରକ୍ଷାବନ୍ଧନ’ର ସାମାଜିକ ଓ ନୈତିକ ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ।
​କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ସେ ଉଲ୍ଲେଖ କରିଥିଲେ ଯେ ଆମ ଦୈନନ୍ଦିନ ବାର୍ତ୍ତାଳାପ, ବ୍ୟବହାର୍ଯ୍ୟ ଶବ୍ଦ, ମନ୍ତ୍ର ଏବଂ ଶାନ୍ତି ପାଠରେ ସଂସ୍କୃତ ଭାଷା ଓତପ୍ରୋତ ଭାବେ ଜଡ଼ିତ। ତେଣୁ ଆଗାମୀ ଜନଗଣନା ସମୟରେ ନିଜର ଭାଷା ବିବରଣୀରେ ସଂସ୍କୃତ ଜାଣିଥିବା ତଥ୍ୟକୁ ସ୍ପଷ୍ଟ ଭାବେ ପ୍ରକାଶ କରିବା ସହ ଏହି ପ୍ରାଚୀନ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
​ଏହି ଆସରରେ ଛାତ୍ରବାସର ଅନ୍ତେବାସୀ ଛାତ୍ର ଉପସ୍ଥିତ ରହି ସକ୍ରିୟ ଭାଗ ନେଇଥିଲେ। ଶେଷରେ ଶାନ୍ତି ପାଠ କରାଯାଇ ସଭା ସାଙ୍ଗ ହୋଇଥିଲା।

Exit mobile version