Site icon Awaj Media

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅନୁଷ୍ଠିତ :

Spread the love

ବାରଙ୍ଗ ( ଆୱାଜ ମିଡ଼ିଆ ) – ସିଦ୍ଧିନାଥ ସାହୁ : ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଜାତୀୟ କ୍ରୀଡ଼ା ଦିବସ ୨୦୨୬ ଅନୁଷ୍ଠିତ ! ମିନି ମାରାଥନରେ ଭାଗ ନେଲେ ୧୦୦ରୁ ଅଧିକ ବିଦ୍ୟାର୍ଥୀ, ଅଧ୍ୟାପକ – ଅଧ୍ୟାପିକା ଓ କର୍ମଚାରୀ ! ଶ୍ରେଷ୍ଠ କ୍ରୀଡ଼ାବିତ୍‌ଙ୍କୁ ‘ପ୍ଲେୟର ଅଫ୍ ଦି ଇୟର’ ସମ୍ମାନ ! ଫିଟନେସ୍‌, ଶୃଙ୍ଖଳା, ଦୃଢ଼ତା ଓ କ୍ରୀଡ଼ା ଉତ୍କର୍ଷ ଭାବନା ସହିତ ସ୍ଥାନୀୟ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଜାତୀୟ କ୍ରୀଡ଼ା ଦିବସ-୨୦୨୬ ଅତ୍ୟନ୍ତ ଉତ୍ସାହ ସହକାରେ ପାଳିତ ହୋଇଯାଇଛି । ଏହି ଅବସରରେ ୧୦୦ରୁ ଅଧିକ ବିଦ୍ୟାର୍ଥୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ପ୍ରାରମ୍ଭରେ ବିଦ୍ୟାର୍ଥୀ କଲ୍ୟାଣ ବିଭାଗ ଡିନ୍‌ ଡ. ଜୟପ୍ରକାଶ ଭଟ୍ଟ ମୁଖ୍ୟ ଅତିଥି ଭାରତୀୟ ଭଲିବଲ୍‌ (ମହିଳା) ଖେଳାଳି ଶିବାନୀ ପ୍ରିୟଦର୍ଶିନୀ, ବିଶିଷ୍ଟ ଅତିଥିବୃନ୍ଦ, ବିଦ୍ୟାର୍ଥୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀମାନଙ୍କୁ ସ୍ୱାଗତ କରି ବିଦ୍ୟାର୍ଥୀ ଜୀବନରେ କ୍ରୀଡ଼ାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶିବାନୀ ପ୍ରିୟଦର୍ଶିନୀ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ବିକାଶ କ୍ଷେତ୍ରରେ ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦୂରଦୃଷ୍ଟି ଓ ମହତ୍ତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ଉଲ୍ଲେଖ କରିଥିଲେ। ନିଜର କ୍ରୀଡ଼ା ଜୀବନର ଅଭିଜ୍ଞତା ବାଣ୍ଟି ମିସ୍‌ ପ୍ରିୟଦର୍ଶିନୀ ବିଦ୍ୟାର୍ଥୀମାନଙ୍କୁ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହୋଇ କିପରି ସଫଳତା ପ୍ରାପ୍ତ କରିହେବ, ସେହି ଗୁରୁମନ୍ତ୍ର ଦେଇଥିଲେ। ପୂର୍ବରୁ ଆୟୋଜିତ ସ୍ପୋର୍ଟସ୍‌ କୁଇଜ୍‌ ପ୍ରତିଯୋଗିତାରେ ମିସ୍‌ କେସର ଅଗ୍ରୱାଲ (BBA), ଶ୍ରୀ ମଞ୍ଜିତ ପାତ୍ର (FOA) ଏବଂ ଶ୍ରୀ ଭବାନୀ ପ୍ରସାଦ ଦାସ (FET) ବିଜେତା ହୋଇଥିଲେ । ଏଥିସହ ଆୟୋଜିତ ମିନି ମାରାଥନ୍‌ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ପୁରୁଷ ବର୍ଗରେ ସ୍ନେହାଶିଷ ରାୟ, ଲିଡିଂଷ୍ଟାର ରାବୋନ୍‌ ଏବଂ ଦେଭେମ୍‌ ଶୁଭମ୍‌ ବିଜେତା ହୋଇଥିବାବେଳେ ମହିଳା ବର୍ଗରେ ମିନାକ୍ଷୀ ବୋରା, ସାଇଶ୍ରଦ୍ଧା ଭରଦ୍ୱାଜ ଏବଂ ଅନନ୍ୟା ସାହୁ ବିଜେତା ହୋଇଥିଲେ। ଏହି ଅବସରରେ ୬୦+ ବୟସ ବର୍ଗରେ ମିନି ମାରାଥନ୍‌ ସଫଳତାର ସହ ସମ୍ପୂର୍ଣ୍ଣ କରିଥିବାରୁ ସୁରକ୍ଷା ଅଧିକାରୀ ଶ୍ରୀ ସୁବେଦାର ଯାଦବଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ସମାରୋହ ଶେଷରେ ପୁରସ୍କାର ବିତରଣ ସହ ‘ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ପାଇଥିବା କ୍ରୀଡ଼ାବିତ୍‌ ମାନେ ହେଲେ— କ୍ରିକେଟ୍‌–ହ୍ରିତିକ କୁମାର ସିଂହ; ଫୁଟବଲ୍‌–ଅନୁରାଗ ବେହେରା; ବାସ୍କେଟବଲ୍‌ (ପୁରୁଷ)–ଶୋଭନ କୁମାର ପ୍ରଧାନ; ବାସ୍କେଟବଲ୍‌ (ମହିଳା)–ଅନନ୍ୟା ସାହୁ; ଭଲିବଲ୍‌ (ପୁରୁଷ)–ପୃଥ୍ୱୀପ୍ରସାଦ ଲେଙ୍କା; କବାଡ଼ି (ପୁରୁଷ)–କ୍ଷିତିଶ ଗୌଡ଼; କବାଡ଼ି (ମହିଳା)–କାମାକ୍ଷୀ ଠାକୁର; ଏବଂ ଆଥଲେଟିକ୍ସ–(ଭାରୋତ୍ତୋଳନ–ନୀତିଶ କୁମାର ରାଉଳ। ଶେଷରେ ସ୍ପୋର୍ଟସ୍‌ ମ୍ୟାନେଜମେଣ୍ଟ କମିଟିର ଯୁଗ୍ମ ସଚିବ ଡ. ରଜତ କୁମାର ବଳିୟାରସିଂହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ ସ୍ପୋର୍ଟସ୍‌ କୋଅର୍ଡିନେଟର ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା। ତାଙ୍କୁ ପ୍ରଶିକ୍ଷକ ଶ୍ରୀ ପ୍ରଭାତ କୁମାର ନାୟକ, ଶ୍ରୀ ଉଦୟଭାନୁ ସୁନ୍ଦରାୟ ଏବଂ ଶ୍ରୀ ସତ୍ୟବ୍ରତ ନାୟକ ସହଯୋଗ କରିଥିଲେ। ଷ୍ଟୁଡେଣ୍ଟସ୍‌ କାଉନସିଲ୍‌ର ନୂପୁର ତମନ୍ନା ଏବଂ ପ୍ରତୀକ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ।

Exit mobile version