ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନ୍ୟାୟ ପାଇବା ଆଶାରେ ଆଜି ସକାଳୁ ମହିପୁର ପାଟୁଳିସାହିର ୬ ଜଣ ମହିଳା ଜିଲ୍ଲା ଆଇନ ସେବା ପ୍ରାଧିକରଣ (DLSA), ନୟାଗଡ଼ର ଦ୍ୱାରସ୍ଥ ହୋଇଥିଲେ। ଗ୍ରାମବାସୀଙ୍କ ଦ୍ୱାରା ସେମାନଙ୍କୁ ସାମାଜିକ ଭାବେ ବହିଷ୍କାର/ବୟକଟ୍ କରାଯାଇଥିବା ଅଭିଯୋଗ ନେଇ ସେମାନେ ନ୍ୟାୟ ଆଶାରେ ଏଠାକୁ ଆସିଥିଲେ।
ଘଟଣାଟି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରା ଜଜ୍ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀଙ୍କ ଦୃଷ୍ଟିକୁ ଆସିବା ପରେ ସେ ତତ୍କ୍ଷଣାତ୍ DLSAର ସଚିବ ଅଞ୍ଜଳି ମଛଖଣ୍ଡ ଙ୍କୁ ମାମଲାଟିକୁ ଗୁରୁତ୍ୱର ସହ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ନିର୍ଦ୍ଦେଶ ପାଇବା ପରେ DLSAର ସଚିବ ତୁରନ୍ତ ନିୟମିତ ପରିଦର୍ଶନ ସ୍ଥାନରୁ ଫେରିଥିଲେ ଏବଂ ଉକ୍ତ ୬ ଜଣ ମହିଳାଙ୍କ ସହ ସବିଶେଷ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିଥିଲେ। ଆଲୋଚନା ସମୟରେ ଜଣାପଡ଼ିଥିଲା ଯେ, ନ୍ୟାୟ ପାଇବା ପାଇଁ ସେମାନେ ପୂର୍ବରୁ ବିଭିନ୍ନ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ ଓ ଅଭିଯୋଗ କରିଥିଲେ। କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ନ ହେବାରୁ ଶେଷରେ ସେମାନେ ନ୍ୟାୟ ଆଶାରେ DLSA, ନୟାଗଡ଼ର ଦ୍ୱାରସ୍ଥ ହୋଇଥିଲେ।
ମହିଳାମାନଙ୍କର ସମସ୍ତ ଅଭିଯୋଗ ଓ ସମସ୍ୟା ଧୈର୍ଯ୍ୟର ସହ ଶୁଣିବା ପରେ DLSAର ସଚିବ ସେମାନଙ୍କୁ ଆଶ୍ୱାସନ ଦେଇଥିଲେ ଏବଂ ସମ୍ପୃକ୍ତ ଅନ୍ୟ ପକ୍ଷମାନଙ୍କୁ ମଧ୍ୟ ନୋଟିସ୍ ଜାରି କରି ତୁରନ୍ତ ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେଇଥିଲେ।
ମାମଲାଟି ମହିଳାମାନଙ୍କ ସହ ସମ୍ପୃକ୍ତ ହୋଇଥିବାରୁ ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ବୋଲି ବିଚାର କରାଯାଇଛି। ଏହା ସହିତ ଏହି ଘଟଣାରେ ଆଇନ-ଶୃଙ୍ଖଳା ପରିସ୍ଥିତିର ସମ୍ଭାବ୍ୟ ପ୍ରଭାବକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। DLSAର ହସ୍ତକ୍ଷେପ ଓ ଉଭୟ ପକ୍ଷଙ୍କ ସହ ହୋଇଥିବା ଆଲୋଚନା ଓ ସମନ୍ୱୟମୂଳକ ପଦକ୍ଷେପ ପରେ ମହିଳାମାନେ ଆଶ୍ୱସ୍ତ ଓ ଖୁସି ପ୍ରକାଶ କରିଥିଲେ।
ଏହି ସମଗ୍ର ପ୍ରକ୍ରିୟାରେ ପାରା-ଲିଗାଲ୍ ଭଲ୍ୟୁଣ୍ଟିୟର୍ (PLV) ଏବଂ ଲିଗାଲ୍ ଏଡ୍ ଆସିଷ୍ଟାଣ୍ଟମାନଙ୍କ ଭୂମିକା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ସେମାନେ ମହିଳାମାନଙ୍କ ସହ ଯୋଗାଯୋଗ, ସମସ୍ୟା ବୁଝିବା ଏବଂ ସମନ୍ୱୟ ପ୍ରକ୍ରିୟାରେ ସକ୍ରିୟ ସହଯୋଗ କରିଥିଲେ।
ପ୍ରାପ୍ତ ସୂଚନା ଅନୁଯାୟୀ, ମହିଳାମାନଙ୍କ ସମସ୍ୟାର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ତତ୍କାଳ ଏକ ତାରିଖ ଧାର୍ଯ୍ୟ କରାଯାଇଛି। ଉକ୍ତ ଦିନ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଉପସ୍ଥିତିରେ ମାମଲାର ସମାଧାନ ପାଇଁ ଆଲୋଚନା ଓ ସମନ୍ୱୟ ପ୍ରକ୍ରିୟା ଆଗକୁ ବଢ଼ାଯିବ।
‘ସମସ୍ତଙ୍କ ପାଇଁ ନ୍ୟାୟରେ ପହଞ୍ଚ’ (Access to Justice) ନିଶ୍ଚିତ କରିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ର ପ୍ରମୁଖ ଲକ୍ଷ୍ୟ। ସାଧାରଣ ଲୋକଙ୍କ ନ୍ୟାୟିକ ଅଧିକାରର ସୁରକ୍ଷା ଓ ଆବଶ୍ୟକ ସମୟରେ ଆଇନଗତ ସହାୟତା ପ୍ରଦାନ ପାଇଁ DLSA, ନୟାଗଡ଼ ସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରାଯାଇଛି।
ନ୍ୟାୟ ପାଇଁ ଡିଏଲ୍ଏସ୍ଏ, ନୟାଗଡ଼ର ଦ୍ୱାରସ୍ଥ ହେଲେ ମହିପୁର ପାଟୁଳିସାହିର ୬ ମହିଳା !!!

