Site icon Awaj Media

ନିଟ କୃତକାର୍ଯ୍ୟଙ୍କୁ ଶୁଭେଚ୍ଛା ଜଣାଇଲେ ପାରଳା ବିଧାୟକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ରାୟଗଡ଼ ବ୍ଲକ୍ ଚମ୍ପାସାହିର ଚାଷୀ ପରିବାରର ପୁଅ କାହ୍ନୁ ଭୂୟାଁ ନିଟ୍ ପରୀକ୍ଷାରେ ଏସ୍‌ଟି ବର୍ଗରେ ରାଜ୍ୟରେ ୨୧ତମ ବ୍ୟାଙ୍କ୍ ହାସଲ କରିଛନ୍ତି। ଡାକ୍ତର ହୋଇ ଗରିବ ଓ ଅସହାୟଙ୍କ ସେବା କରିବାର ସ୍ବପ୍ନ ଦେଖୁଥିବା ଏହି ମେଧାବୀ ଛାତ୍ରଙ୍କ ସ୍ବପ୍ନ ସାକାର ପାଇଁ ଏବେ ସହଯୋଗର ହାତ ବଢ଼ାଇଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ ପାଣିଗ୍ରାହୀ। ବୁଧବାର ହାଇଟେକ୍ ପ୍ଲାଜାସ୍ଥିତ ନିଜ କାର୍ଯ୍ୟାଳୟରେ କାହ୍ନୁଙ୍କୁ ସମ୍ବଦ୍ଧିତ କରି ବିଧାୟକ ତାଙ୍କ ପାଠପଢ଼ା ପାଇଁ ଆବଶ୍ୟକ ଫି’ ବାନ୍ଧିବା ସହ ଚେକ୍ ମାଧ୍ୟମରେ ଆର୍ଥିକ ସହାୟତ ଦେଇଥିଲେ। ଅର୍ଥ ଅଭାବ ଯେପରି ତାଙ୍କ ପାଠପଢ଼ାରେ ବାଧକ ନହୁଏ, ସେଥିପାଇଁ ସହଯୋଗ କରିଥିବା ବିଧାୟକ କହିଥିଲେ । ଅଜିତ ଭୂୟାଁ ଓ ସବିତା ଭୂୟାଁଙ୍କ ପୁଅ କାହ୍ନୁ ରାୟଗଡ଼ ଆଦର୍ଶ ବିଦ୍ୟାଳୟରୁ ଯୁକ୍ତ୨ ବିଜ୍ଞାନ ପାସ୍ କରିଛନ୍ତି। ନିଟ୍‌ରେ ସଫଳତା ପରେ ସେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ଡାକ୍ତରୀ ପଢ଼ିବାକୁ ଯାଉଛନ୍ତି। ଗ୍ରାମାଞ୍ଚଳର ଗରିବ ଓ ଆର୍ଥିକ ଦୁର୍ବଳ ପରିବାରର ପ୍ରତିଭାବାନ ପିଲାଙ୍କୁ ଭଲ ଶିକ୍ଷାର ସୁଯୋଗ ଦେବା ଲକ୍ଷ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ଓଏଭି ବ୍ୟବସ୍ଥା ଆରମ୍ଭ ହୋଇଥିବା ବିଧାୟକ କହିଥିଲେ। ରାୟଗଡ଼ ଭଳି ଅଞ୍ଚଳର ଜଣେ ଚାଷୀଙ୍କ ପୁଅ ଓଏଭିରୁ ପଢ଼ି ନିଟ୍‌ରେ ଏସ୍‌ଟି ବର୍ଗରେ ରାଜ୍ୟରେ ୨୧ତମ ବ୍ୟାଙ୍କ୍ ପାଇବା ଏହାର ସୁଫଳର ଏକ ଉଦାହରଣ ବୋଲି ସେ କହିଥିଲେ। କାହୁଙ୍କ ସଫଳତା ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାଣିବା ପରେ ତାଙ୍କ ନିର୍ଦ୍ଦେଶରେ ଏହି ସହଯୋଗ କରାଯାଇଥିବା ବିଧାୟକ କହିଥିଲେ। ବିଧାୟକଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇ କାହ୍ନୁ ଆଗକୁ ପାଠପଢ଼ି ଜଣେ ଭଲ ଡାକ୍ତର ହେବା ସହ ନିଜ ଅଞ୍ଚଳର ଗରିବ ଲୋକଙ୍କ ସେବା କରିବା ନିଜର ଲକ୍ଷ୍ୟ ବୋଲି କହିଥିଲେ।

Exit mobile version