Site icon Awaj Media

କାଙ୍କଣ ଶିଖରୀରେ ନନ୍ଦ ଉତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ଖୋର୍ଦ୍ଧା ଜିଲ୍ଲା ଚିଲିକା ଉପକଣ୍ଠରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ କାଙ୍କଣ ଶିଖରୀରେ ପବିତ୍ର ନନ୍ଦ ଉତ୍ସବ ଭକ୍ତିମୟ ପରିବେଶରେ ପାଳିତ ହୋଇଛି । ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ନନ୍ଦ ମହୋତ୍ସବ ପାଳନର ପରମ୍ପରା ଅନୁଯାୟୀ ଏଠାରେ ବିଭିନ୍ନ ଧାର୍ମିକ ରୀତିନୀତି ସମ୍ପନ୍ନ ହୋଇଥିଲା । ମଥୁରା ସ୍ୱରୂପ ନଈରୀ ଗ୍ରାମରୁ ବାଳ ଗୋପାଳଙ୍କୁ ବସୁଦେବ ରାଜା ମୁଣ୍ଡରେ ମୁଣ୍ଡେଇ ଗ୍ରାମର ଯମୁନା ପୁଷ୍କରିଣୀ ପାର ହେବାପରେ ଚିଲିକାର ନୀଳଜଳ ରାଶି ମଧ୍ୟରେ ଯାଇ ଗୋପପୁର ରୂପକ କାଙ୍କଣ ଶିଖରୀରେ ପଞ୍ଚିଥିଲେ l ସେଠାରେ ମା ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଛାଡିଥିଲେ l ଏହି ଅପୂର୍ବ ଦୃଶ୍ୟକୁ ଦେଖିବା ପାଇଁ ମନ୍ଦିର ପରିସରରେ ଭକ୍ତମାନଙ୍କ ଭିଡ଼ ଜମିବା ସହିତ ଘଣ୍ଟଘଣ୍ଟା, ହରିବୋଲ ଓ ଜୟ ଶ୍ରୀକୃଷ୍ଣ ଧ୍ୱନିରେ ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ଏହି ଅବସରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ସ୍ମରଣ କରି ବିଭିନ୍ନ ପାରମ୍ପରିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଭକ୍ତମାନେ ଶ୍ରୀକୃଷ୍ଣଙ୍କ ଦର୍ଶନ କରି ନିଜ ପରିବାରର ସୁଖ, ଶାନ୍ତି ଓ ମଙ୍ଗଳ କାମନା କରିଥିଲେ । ଚିଲିକାର ନୀଳ ଜଳରାଶି ମଧ୍ୟରେ ଅବସ୍ଥିତ କାଙ୍କଣ ଶିଖରୀର ଏହି ନନ୍ଦ ଉତ୍ସବ ଧାର୍ମିକ ଭାବନା ସହିତ ଅଞ୍ଚଳର ପ୍ରାଚୀନ ଜଗନ୍ନାଥ ପରମ୍ପରାକୁ ମଧ୍ୟ ଆହୁରି ସମୃଦ୍ଧ କରିଥିଲା l

Exit mobile version