ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ନେରେଡି ପ୍ରକଳ୍ପକୁ ନେଇ ଗଜପତି ଜିଲ୍ଲାରେ ଦେଖାଦେଇଥିବା ବିଭିନ୍ନ ସମସ୍ୟା ଓ ଆଗାମୀ ପଦକ୍ଷେପ ସମ୍ପର୍କରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓଙ୍କ ସମେତ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ନେରେଡି ପ୍ରକଳ୍ପ ଯୋଗୁଁ ଗଜପତି ଜିଲ୍ଲାର ଚାଷଜମି, ଜଳସେଚନ, କୃଷକଙ୍କ ଜୀବିକା ଓ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବିଶେଷକରି କାଶୀନଗର ଅଞ୍ଚଳ ସମେତ ବଂଶୀଧାରା ନଦୀ ଅବବାହିକାରେ ପ୍ରକଳ୍ପର ପ୍ରଭାବ ଏବଂ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ନେଇ ଗୁରୁତ୍ୱ ଦିଆଯାଇଥିଲା । ବୈଠକରେ ପ୍ରକଳ୍ପ ସମ୍ପର୍କିତ ତଥ୍ୟ, ପ୍ରଶାସନିକ ପଦକ୍ଷେପ ଏବଂ ଆଗାମୀ ରଣନୀତି ନେଇ ଅଧିକାରୀମାନେ ବିଧାୟକ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାର ଚାଷୀ ଓ ସାଧାରଣ ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରକଳ୍ପ ସମ୍ପର୍କିତ ସମସ୍ତ ପ୍ରସଙ୍ଗରେ ସତର୍କତାର ସହ ପଦକ୍ଷେପ ନେବା ଉପରେ ମତ ପ୍ରକାଶ ପାଇଥିଲା।
ନେରେଡି ପ୍ରକଳ୍ପକୁ ନେଇ ପୂର୍ବରୁ ମଧ୍ୟ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚିନ୍ତା ଓ ପ୍ରତିବାଦ ପ୍ରକାଶ ପାଇଆସିଛି। ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଜମି ଓ ଚାଷୀଙ୍କ ଉପରେ ପଡ଼ିପାରୁଥିବା ପ୍ରଭାବ ନେଇ ଲୋକମାନେ ଦୀର୍ଘଦିନ ଧରି ନିଜ ଦାବି ଉଠାଇ ଆସୁଛନ୍ତି । ବୈଠକରେ ସମ୍ପୃକ୍ତ ବିଭାଗର ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ନେରେଡି ପ୍ରକଳ୍ପ ସମ୍ପର୍କିତ ବିଭିନ୍ନ ଦିଗ ଉପରେ ମତବିନିମୟ କରିଥିଲେ ।
ନେରେଡି ପ୍ରକଳ୍ପକୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ !!!

