Site icon Awaj Media

ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଅଧିନିୟମ-୨୦୦୫ ଉପରେ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଆଜି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଭାଗ ପକ୍ଷରୁ ଘରୋଇ ହିଂସାରୁ ମହିଳାମାନଙ୍କ ସୁରକ୍ଷା ଅଧିନିୟମ-୨୦୦୫ ଉପରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏହି ପ୍ରଶିକ୍ଷଣ ଶିବିର ସମ୍ପନ୍ନ ହୋଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, DLSA ସଚିବ, ଡେପୁଟି କଲେକ୍ଟର, SDPO ନୟାଗଡ଼, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO), DIPRO, PO-cum-PO, ଜିଲ୍ଲା ମହିଳା ସଶକ୍ତିକରଣ ର ଅଫିସିଆଲ (DHEW) ନୟାଗଡ଼ର ସମସ୍ତ କର୍ମଚାରୀଙ୍କ ସମେତ ସମସ୍ତ CDPO, ସୁପରଭାଇଜର,OSC, NGO, ଶକ୍ତି ସଦନ ଏବଂ ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ଘରୋଇ ହିଂସାର ଶିକାର ମହିଳାମାନଙ୍କୁ ତ୍ୱରିତ ନ୍ୟାୟ, ସୁରକ୍ଷା ଓ ଆବଶ୍ୟକ ସହାୟତା ପ୍ରଦାନ ଦିଗରେ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କର ହୃଦୟସ୍ପର୍ଶୀ ଟିପ୍ପଣୀ ଉପସ୍ଥିତ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ମହିଳାମାନଙ୍କ ଅଧିକାରର ସୁରକ୍ଷା ଓ ଘରୋଇ ହିଂସା ରୋକିବା ପାଇଁ ସମସ୍ତେ ନିଜ ନିଜ ଦାୟିତ୍ୱକୁ ସଠିକ୍ ଭାବେ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ପ୍ରଶିକ୍ଷଣ ଶିବିରରେ SDPO, ନୟାଗଡ଼ ଏବଂ DLSA ସଚିବ ରିସୋର୍ସ ପର୍ସନ୍ ଭାବେ ଯୋଗଦେଇ ଘରୋଇ ହିଂସାରୁ ମହିଳାଙ୍କ ସୁରକ୍ଷା ଅଧିନିୟମ-୨୦୦୫ର ବିଭିନ୍ନ ଦିଗ, ଆଇନଗତ ବ୍ୟବସ୍ଥା, ମହିଳାଙ୍କ ଅଧିକାର, ଅଭିଯୋଗ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଓ ସରଳ ଭାବରେ ତାଲିମ ପ୍ରଦାନ କରିଥିଲେ।
ପ୍ରଶିକ୍ଷଣ ମାଧ୍ୟମରେ ଘରୋଇ ହିଂସାର ମୁକାବିଲା, ପୀଡ଼ିତ ମହିଳାଙ୍କୁ ଆଇନଗତ ସହାୟତା ଓ ସୁରକ୍ଷା ପ୍ରଦାନ ସହିତ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ଓ କ୍ଷେତ୍ରସ୍ତରୀୟ କର୍ମୀଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ପ୍ରଶିକ୍ଷଣ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

Exit mobile version