ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଏକ ପ୍ରମୁଖ ରାସ୍ତା ଭାବେ ପରିଚିତ ପୁଲିସ ଷ୍ଟେସନ ଛକରୁ ରାମସାଗର ଛକ ପର୍ଯ୍ୟନ୍ତ ପ୍ରାୟ ୨.୫ କିମି ରାସ୍ତାର ଅବସ୍ଥା ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ରାସ୍ତା ନିର୍ମାଣର ପ୍ରାୟ ବର୍ଷକ ମଧ୍ୟରେ ବିଭିନ୍ନ ସ୍ଥାନରୁ ପିଚୁ ଉଠିଯିବା ସହ ଖାଲଖମା ସୃଷ୍ଟି ହୋଇଥିବାରୁ ଯାତାୟାତରେ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ! ସୂଚନାନୁସାରେ, ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତା ପ୍ରାୟ ୨.୫ କିମି ରାସ୍ତାର ନିର୍ମାଣ କରାଯାଇଥିଲା । ସେତେବେଳେ ନିର୍ମାଣ ସମୟରେ ବର୍ଷା ଲାଗି ରହିଥିଲେ ମଧ୍ୟ ରାସ୍ତା କାମ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ | ବର୍ତମାନ ବର୍ଷା ସମୟରେ ରାସ୍ତାର ବିଭିନ୍ନ ସ୍ଥାନରୁ ପିଚୁ ଉଠିଯାଇ ଅବସ୍ଥା ଅଧିକ ଖରାପ ଥିବା ଦେଖାଯାଉଛି । ପୁଲିସ ଷ୍ଟେସନ ଛକରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଞ୍ଚଳିକ ପରିବହନ କାର୍ଯ୍ୟାଳୟ, ପୂର୍ବ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ ଗଜପତି ଷ୍ଟାଡିୟମ ସମ୍ମୁଖ, ଶନିମନ୍ଦିର ଓ ସନ୍ତୋଷୀମା’ ମନ୍ଦିର ସମ୍ମୁଖ ଦେଇ ରାମସାଗର ଛକ ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ ଉଠିଯାଇଛି । ଏହା ଯୋଗୁଁ ଦୁଇଚକିଆ ଯାନ ଚାଳକ ମାନେ ବିଶେଷ ଅସୁବିଧାରେ ପଡ଼ୁଛନ୍ତି । ଉଠିଯାଇଥିବା ପିଚୁ ଓ ଖାଲଖମା ଯୋଗୁଁ ଦୁଇଚକିଆ ଯାନ ଚାଳକଙ୍କ ଦୁର୍ଘଟଣାର ଆଶଙ୍କା ରହୁଥିବା ବେଳେ ଗାଡ଼ିର କ୍ଷତି ହେଉଥିବା ଲୋକେ କହିଛନ୍ତି I ଅନ୍ୟପକ୍ଷରେ ରାସ୍ତାର ଉଭୟ ପାର୍ଶ୍ଵରେ ଢାଙ୍କୁଣିଯୁକ୍ତ ନାଳ ରହିଥିଲେ ମଧ୍ୟ ଏହାର ଅବସ୍ଥା ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି I
ନାଳରେ ଅଳିଆ ଆବର୍ଜନା ଓ ମାଟି ଜମି ରହିଥିବାରୁ ବର୍ଷାଜଳ ସଠିକ୍ ଭାବେ ନିଷ୍କାସିତ ହୋଇପାରୁନାହିଁ । ଫଳରେ ବର୍ଷା ସମୟରେ ନାଳର ପାଣି ରାସ୍ତା ଉପରକୁ ଆସିବା ସହ ବିଭିନ୍ନ ସ୍ଥାନରେ ଘର, ଦୋକାନ ଓ ହୋଟେଲର ବ୍ୟବହୃତ ପାଣି ମଧ୍ୟ ରାସ୍ତା ଉପରେ ପ୍ରବାହିତ ହେଉଥିବା ଦେଖାଯାଉଛି। ନାଳଗୁଡ଼ିକର ନିୟମିତ ସଫେଇ ଓ ରକ୍ଷଣାବେକ୍ଷଣ ଅଭାବରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | ରାସ୍ତାଟି ସହରର ଏକ ପ୍ରମୁଖ ଯାତାୟାତ ପଥ ହୋଇଥିବାରୁ ଦୈନିକ ବହୁ ଲୋକ ଏହା ଉପରେ ନିର୍ଭର କରନ୍ତି। ଏହାସହ ଜିଲ୍ଲାସ୍ତରୀୟ ବିଭିନ୍ନ କାର୍ଯ୍ୟାଳୟ ଏହି ରାସ୍ତା ପାର୍ଶ୍ଵରେ ଥିବାରୁ ଅଧିକାରୀ ଓ ସାଧାରଣ ଲୋକଙ୍କ ଯାତାୟାତ ମଧ୍ୟ ଲାଗି ରହିଥାଏ | ତେଣୁ ରାସ୍ତା କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରି ଆବଶ୍ୟକ ମରାମତି ସହ ନାଳଗୁଡ଼ିକର ତୁରନ୍ତ ସଫେଇ ଓ ରକ୍ଷଣାବେକ୍ଷଣ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି !

