Site icon Awaj Media

ବାଣପୁର ଦାଶଘର ସାହିରେ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଦାଶଘର ସାହିରେ ଗଣେଶ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ , ଛାତ୍ରଛାତ୍ରୀଙ୍କ ନୃତ୍ୟ ଓ ସଙ୍ଗୀତରେ ମନମୁଗ୍ଧ ହେଲେ ଦର୍ଶକ ! ଗଣେଶ ପୂଜାକୁ ନେଇ ସାରା ବାଣପୁର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିବା ବେଳେ ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ ଦାଶଘର ସାହିରେ ଭକ୍ତି ଓ ସାଂସ୍କୃତିକ ଉତ୍ସବର ନିଆରା ପରିବେଶ ଦେଖିବାକୁ ମିଳିଛି। ‘ଓଁ ଶ୍ରୀଶ୍ରୀ ବିଘ୍ନେଶ୍ୱରାୟ ପୂଜା କମିଟି’ ପକ୍ଷରୁ ଚଳିତ ବର୍ଷ ଶ୍ରୀଗଣେଶ ପୂଜା ମହାଆଡମ୍ବରରେ ପାଳିତ ହୋଇଥିବା ବେଳେ ପୂଜା ଅବସରରେ ଆୟୋଜିତ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା । ପୂଜା କମିଟି ସଭାପତି ଶ୍ରୀକାନ୍ତ ଦାସ, ଉପସଭାପତି ନୀଳକଣ୍ଠ ସାହୁ, ସମ୍ପାଦକ ପ୍ରୟାସ ଦାସ, ପରିଚାଳକ ଅଶୋକ ପ୍ରଧାନ ଓ ସିପୁ ପ୍ରଧାନ, ସଂଯୋଜକ ବିଶ୍ୱଜିତ ମଙ୍ଗରାଜ ଏବଂ ଉପଦେଷ୍ଟା ଶିବକାନ୍ତ ଦାସଙ୍କ ଉପସ୍ଥିତିରେ ସନ୍ଧ୍ୟା ସମୟରେ ସାଂସ୍କୃତିକ ସଭା ଅନୁଷ୍ଠିତ ହୋଇଥିଲା !  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ଜିତେନ୍ଦ୍ର କୁମାର ବସ୍ତି ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ନଡ଼ିଆ ଭାଙ୍ଗି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀ ଓ ଛୋଟ ପିଲାମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଭୁ ଗଣେଶଙ୍କ ଜୀବନାଦର୍ଶରୁ ଶିକ୍ଷା ନେବାକୁ ଆହ୍ୱାନ ଦେଇଥିଲେ। ବିଶେଷକରି ଜ୍ଞାନ, ଏକାଗ୍ରତା, ଶୃଙ୍ଖଳା ଓ ନୀତି-ଆଦର୍ଶକୁ ଜୀବନରେ ଅନୁସରଣ କଲେ ଛାତ୍ରଛାତ୍ରୀମାନେ ଭବିଷ୍ୟତରେ ସଫଳ ହୋଇପାରିବେ ବୋଲି ସେ ମତ ପ୍ରକାଶ କରିଥିଲେ । ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲା ଏକଲବ୍ୟ ଟ୍ୟୁସନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ। ଛୋଟ ଛୋଟ କଳାକାରଙ୍କ ମନୋରମ ପ୍ରଦର୍ଶନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଉପସ୍ଥିତ ଦର୍ଶକମାନେ ଛାତ୍ରଛାତ୍ରୀଙ୍କ ପ୍ରତିଭାକୁ ପ୍ରଶଂସା କରିବା ସହ ତାଳି ଦେଇ ଉତ୍ସାହିତ କରିଥିଲେ । ଟ୍ୟୁସନର ମୁଖ୍ୟା ଶ୍ରୀମତୀ ସୁଲଚନା ଦାସଙ୍କ ନେତୃତ୍ୱରେ ସମଗ୍ର ସାଂସ୍କୃତିକ କାର୍ଯ୍ୟକ୍ରମଟି ସୁଚାରୁ ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା। ପିଲାମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ମଞ୍ଚ ଦେବା ସହ ସେମାନଙ୍କୁ ଆତ୍ମବିଶ୍ୱାସୀ କରିବା ଦିଗରେ ଏଭଳି କାର୍ଯ୍ୟକ୍ରମ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଅଞ୍ଚଳବାସୀ ମତ ଦେଇଥିଲେ । ପୂଜା କମିଟିରେ ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଥିବା ବେଳେ ଦାଶଘର ସାହି ସମେତ ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀ ପୂଜା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭକ୍ତି, ଉତ୍ସାହ ଓ ଭାଇଚାରାର ପରିବେଶ ମଧ୍ୟରେ ସମଗ୍ର ଆୟୋଜନ ଅନୁଷ୍ଠିତ ହୋଇଥିଲା । ଶେଷରେ ପୂଜା କମିଟି ସଭାପତି ଶ୍ରୀକାନ୍ତ ଦାସ ମୁଖ୍ୟ ଅତିଥି, କମିଟିର ସମସ୍ତ ସଦସ୍ୟ, ଅଭିଭାବକ, ଛାତ୍ରଛାତ୍ରୀ ଏବଂ ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କାର୍ଯ୍ୟକ୍ରମର ସମାପନ ଘୋଷଣା କରିଥିଲେ ।

Exit mobile version