Site icon Awaj Media

ପେଟକୁ ଭାତ ଯାଏ ନାହିଁ : ପାଦରେ ଚପଲ ରୁହେ ନାହିଁ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ପେଟକୁ ଭାତ ଯାଏ ନାହିଁ, ପାଦରେ ଚପଲ ରୁହେ ନାହିଁ | ତାଳବସ୍ତ ଗ୍ରାମ ପଂଚାୟତ ନୂଆ ସାହିର ବିଚିତ୍ର ମଣିଷ ଧଡିଆ ପାଳ ! ବେଳେବେଳେ ପୃଥିବୀ ପୃଷ୍ଠରେ ସବୁ ବିଚିତ୍ର ଜିନିଷ ଦେଖିବାକୁ ମିଳିଥାଏ | କିଏ ଈଶ୍ୱର ଦତ୍ତ ତ ଆଉ କିଏ ନିଜର ନିଷ୍ଠା ଅଭ୍ୟାସ ଦ୍ଵାରା ନିଜକୁ ସ୍ୱତନ୍ତ୍ର ପରିଚୟ ଦେବାକୁ ଯାଇ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟ କାମ କରିଥାନ୍ତି | ବାଙ୍କୀ ଡମପଡା ବ୍ଳକ ଅନ୍ତର୍ଗତ ନୂଆସାହିରେ ଏମିତି ଜଣେ ଆଶ୍ଚର୍ଯ୍ୟଚକିତ ମଣିଷ ଅଛନ୍ତି ଯିଏ ସାମାଜିକ ଗଣମାଧ୍ୟମ, ପ୍ରିଣ୍ଟ ଓ ବିଦ୍ୟୁତ ମିଡ଼ିଆ ଠାରୁ ବହୁତ ଦୂରରେ ରହିଛନ୍ତି | ନୁଆସାହିର 52 ବର୍ଷୀୟ ମଣିଷ ଶ୍ରୀଯୁକ୍ତ ଧାଡିଆ ପାଳ | ନିଜର କର୍ମ ହେଉଛି ଦଶ ତୁଠିଆ ବ୍ରାହ୍ମଣ କାମ | ଛୁଆ ବେଳୁ ଆଜି ପର୍ଯ୍ୟନ୍ତ ସେ କେବେ ଭାତ ଖାଇ ନାହାନ୍ତି କି ପାଦରେ ଚପଲ ପିନ୍ଧି ନାହାନ୍ତି | ଏହାକୁ ନିଜେ ମଧ୍ୟ ସ୍ୱୀକାର କରି କୁହନ୍ତି ଯେ, ଏସବୁ ଅଭ୍ୟାସ ବୋଧେ ମୋ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ଅଟେ | ଧଡ଼ିଆ ପାଳ ଡମପଡା ବ୍ଲକର ବିଭିନ୍ନ ଗ୍ରାମରେ ହେଉଥିବା ଦଶାହ କାର୍ଯ୍ୟକ୍ରମକୁ ନିରାଡ଼ମ୍ବର ଭାବେ ବେକରେ ଗାମୁଛା ଖଣ୍ଡେ ପକାଇ ସଫେଦ ଧୋତି ପିନ୍ଧି ଖାଲି ପାଦରେ ଚାଲି ଚାଲି କି କାହା ବାଇକରେ ଲିଫ୍ଟ ମାଗି ଜାଗା ମୁଣ୍ଡରେ ଠିକ ସମୟରେ ପହଂଚି ଯାଇଥାନ୍ତି | ପ୍ରତିଦିନ 6/7 ଥର ଦିନକୁ ଚାହା ପିଇଵା ସହିତ ତିନିଥର ବରା ଘୁଗୁନି ଜଳଖିଆ କରିଥାନ୍ତି |ପରିବାରର ଅନ୍ୟ ସଦସ୍ୟମାନେ ଭାତ ତରକାରୀ ଖାଉଥିବା ବେଳେ ଧଡିଆ ପାଳ କେବଳ ଚାହା ଏବଂ ଜଳଖିଆ ଖାଇ ରୁହନ୍ତି | ବିନା ଭାତ ଖିଆରେ ବି ସେ ସୁସ୍ଥ ଏବଂ ନିରୋଗ ରହିଛନ୍ତି, କେବେ ହେଲେ ମେଡିକାଲର ଦ୍ଵାର ମାଡି ନାହାନ୍ତି || ଏସବୁ ଅଭ୍ୟାସ କରିବା ପଛରେ ଗୋଟେ ବଡ଼ କିମ୍ବଦନ୍ତୀ ରହିଛି | ଅରପୁର ଗ୍ରାମରେ ଜଳଖିଆ ହୋଟେଲ କରିଥିବା ଯୁବ ବ୍ୟବସାୟୀ ତଥା ଧଡିଆ ପାଳଙ୍କ ସମର୍କୀୟ ମାଧବ ଦାସ କୁହନ୍ତି ଯେ ନୂଆ ସାହି ଧଡିଆ ପାଳଙ୍କ ବାପା ସ୍ବର୍ଗତ ଦାମ ପାଳ ଜନ୍ମରୁ ଦିବ୍ୟାଙ୍ଗ (ଛୋଟା) ଥିଲେ ଏବଂ ବୈବାହିକ ଜୀବନରେ ଧଡ଼ିଆ ପାଳଙ୍କ ଜନ୍ମ ପରେ ନିଜ ଜୀବନସାଥୀଙ୍କର କୌଣସି ଏକ ରୋଗରେ ମୃତ୍ୟୁ ବରଣ ହୋଇଥିଲା | ଗୋଟେ ପଟେ ଦିବ୍ୟାଙ୍ଗ ସହିତ ଘର ଚଳେଇବାକୁ ପତ୍ନୀ ନାହାନ୍ତି | ତେଣୁ ରୋଷେଇରୁ ମୁକ୍ତି ପାଇଁ ଘରକୁ ସବୁଦିନ ଜଳଖିଆ କିଣାଯାଇ ଆସେ ଏବଂ ସେବେଠୁ ଧଡ଼ିଆ ପାଳଙ୍କର ଜଳଖିଆ ଖାଇବା ନିଶା ହୋଇଯାଇଛି | ଚପଲ ନ ପିନ୍ଧି ସବୁଦିନ 4/5 କିଲୋମିଟର ଚାଲିବା ତାଙ୍କର ଗୋଟେ ଅଜବ ନିଶା ଏବଂ ପ୍ରବୃତ୍ତି ଅଟେ | ତାଳବସ୍ତ ଆୟୁଷ ଚିକିତ୍ସାଳୟର ଡାକ୍ତର ପୁଷ୍ପଲତା ସାହୁ ଏ ବିଷୟରେ ଶୁଣି କୁହନ୍ତି ଯେ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଭାତ ନ ଖାଇ କୋଉଠି ରୁଟି ତ ବିରିୟାନୀ କି ଫଳ, ଜଙ୍ଗଲ ଜନ୍ତୁ ଖାଦ୍ୟ ରୂପେ ଖାଇ ସୁସ୍ଥ ଭାବେ ବଞ୍ଚିଛନ୍ତି | ଧଡ଼ିଆ ପାଳ ବାବୁଙ୍କ କ୍ଷେତ୍ରରେ ତାହାହିଁ ଘଟିଛି | ଛୁଆଟି ବେଳୁ ଜଳଖିଆ ଖାଇବା ତାଙ୍କ ଦେହସୁହା ହୋଇଯାଇଛି | ତେଣୁ ଇଏ ଗୋଟେ ବିଜ୍ଞାନ ଏବଂ ଆଧ୍ୟାତ୍ମିକତାର ସମନ୍ୱୟ ଘଟିଛି | ତେଣୁ ବାସ୍ତବରେ ଜୀବନସାରା ଚପଲ ପିନ୍ଧୁ ନ ଥିବା କି ଭାତ ନ ଖାଇ କେବଳ ଚାହା ଜଳଖିଆ ଖାଇ ସୁସ୍ଥ ଏବଂ ନିରୋଗ ଭାବେ ଖାଲି ପାଦରେ ଚାଲୁଥିବା ତାଳବସ୍ତର ଧଡ଼ିଆ ପାଳ ଏକ ନିଆରା ଏବଂ ସ୍ୱତନ୍ତ୍ର ମଣିଷ ଅଟନ୍ତି |

Exit mobile version