ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାଷା ଆନ୍ଦୋଳନ, ଓଡ଼ିଶା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଏବଂ ଶବ୍ଦସ୍ପର୍ଶ ମିଳିତ ଆନୁକୁଲ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଦେବଙ୍କ କୀର୍ତ୍ତି ଓ କୃତିତ୍ୱ ଉପରେ ୧୨ ଏବଂ ୧୩ ତାରିଖରେ ମହାରାଜଙ୍କ କୃତିତ୍ୱ ପରିଦର୍ଶନ କରିବା ସହିତ ଏକ କର୍ମଶାଳା ସହ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାକୁ ଉଦ୍ଘାଟନ କରି ବିଶିଷ୍ଟ ଶିକ୍ଷାବିତ୍ ତଥା ପ୍ରଫେସର ଦାସ ବେନହୁର ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ଗଠନ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ସାମାଜିକ ବ୍ୟବସ୍ଥାର ବିକାଶ କ୍ଷେତ୍ରରେ ଗଜପତି ମହାରାଜାଙ୍କ ଉଲ୍ଲେଖନୀୟ ଅବଦାନ ରହିଥିବା ସେ କହିଥିଲେ ।
ଭାଷା ଆନ୍ଦୋଳନର ଆବାହକ ତାଙ୍କ ସ୍ୱାଗତ ଭାଷଣରେ କହିଥିଲେ ଯେ, ଗଜପତି ମହାରାଜାଙ୍କ କୀର୍ତ୍ତି ଓ କୃତିତ୍ୱକୁ ନେଇ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଅନୁରୂପ କର୍ମଶାଳା ଓ ଆଲୋଚନା ଚକ୍ର ଆୟୋଜନ କରାଯିବା ସହ ଏହା ମାଧ୍ୟମରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରାଯିବ ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଗଜପତିଙ୍କ ସ୍ମୃତିଚାରଣ କରିବା ସହ ଅବଦାନ ଅନୁରୂପ ସରକାରୀ ସମ୍ମାନ ପାଇବାରୁ ମହାରାଜ ବଞ୍ଚିତ ହୋଇଥିବା ନେଇ କ୍ଷୋଭ ପ୍ରକଟ କରିଥିଲେ । ଅନ୍ୟତମ ଅତିଥି ଭାବେ ଭାଜପା ମୂଖପାତ୍ର ତଥା ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ପାଠ୍ୟକ୍ରମରେ ଗଜପତିଙ୍କ ଅନୁକରଣୀୟ ଜୀବନୀକୁ ସ୍ଥାନିତ କରିବା ପାଇଁ ପ୍ରୟାସ ରଖିବେ ବୋଲି କହିଥିଲେ ।
ମୁଖ୍ୟ ବକ୍ତା ଭାବେ ପ୍ରଫେସର ଉଦୟନାଥ ସାହୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଇତିହାସ ଏବଂ ଆଧୁନିକ ଓଡ଼ିଶା ନିର୍ମାଣରେ ଗଜପତି ମହାରାଜାଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ସମ୍ମାନିତ ଅତିଥି ଭାବେ ସ୍ତମ୍ଭକାର ନଟବର ଖୁଣ୍ଟିଆ, ଗବେଷକ ସତ୍ୟନାରାୟଣ ମହାପାତ୍ର, ଭାଷାବିତ୍ ଦେବାଶିଷ ମହାପାତ୍ର, ପ୍ରାଧ୍ୟାପିକା ବିଜୟଲକ୍ଷ୍ମୀ ଦାସ, ଶର୍ମିଷ୍ଠା ମହାପାତ୍ର, ଅଧ୍ୟାପକ କଳ୍ପତରୁ ନାୟକ ପ୍ରମୁଖ ଯୋଗଦେଇ ଗଜପତି ମହାରାଜାଙ୍କର ଓଡ଼ିଶା ଗଠନରେ ଅବଦାନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଡ଼ିଶା ଗଠନ ପରବର୍ତ୍ତୀ ପୃଷ୍ଠଭୂମିରେ ଗଜପତିଙ୍କ ଭୂମିକା ପ୍ରତିପାଦନ ପୂର୍ବକ ସଚିତ୍ର ପୁସ୍ତକ ପ୍ରକାଶନ, ଶିକ୍ଷାନୁଷ୍ଠାନରେ ଆବଶ୍ୟକୀୟ ଓଡ଼ିଆ ଭାଷା ଶିକ୍ଷକ ନିଯୁକ୍ତି, ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବ୍ୟାପକ ପ୍ରଚାର ଓ ପ୍ରସାର , ବିକୃତ ବା ଅତିରଞ୍ଜିତ ଇତିହାସର ପୁନଃଲିଖନ ଇତ୍ୟାଦି ପ୍ରସ୍ତାବ ସଭାଧ୍ୟକ୍ଷ ଶ୍ରୀ କରଙ୍କ ପ୍ରସ୍ତାବନାରେ ପାରିତ ହୋଇଥିଲା । ଏହି ସଭାରେ ୮୭୮ ଦିନର କଳାପତାକା ଅଭିଯାନ ରେ ସାମିଲ ହୋଇଥିବା ପ୍ରାୟ ୫୦ ରୁ ଅଧିକ ଭାଷା ଯୋଦ୍ଧା, ସମସ୍ତ ଶିକ୍ଷାବିତ ତଥା ପାରଳା ଗଜପତି ବିକାଶ ମଞ୍ଚକୁ ସମ୍ବର୍ଦ୍ଧିତ କରାଯାଇ ଉତ୍ସାହ ପ୍ରଦାନ କରାଯାଇଥିଲା। ସାଗର ରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରଥିବା କରିଥିବା ବେଳେ ସମଗ୍ର କାର୍ଯ୍ୟକ୍ରମକୁ ରାଜକିଶୋର ପାଣିଗ୍ରାହୀ ଏବଂ ସାରଦା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ।
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ପଦାଙ୍କ ବିକଶିତ ଓଡ଼ିଶା ଗଠନ-୨୦୩୬ ର ଉପାଦାନ ହେଉ !!!

