ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଷୋଡଶ ଦିବସାତ୍ମକ ଶାରଦୀୟ ଉତ୍ସବ ପାଇଁ ମା’ କାଳିଜାଇଙ୍କୁ ନିମନ୍ତ୍ରଣ କଲେ ମା’ ଭଗବତୀ . ଓଡ଼ିଶାର ପ୍ରତ୍ୟେକ ଶକ୍ତି ପୀଠରେ ଆଶ୍ୱିନ ଶୁକ୍ଳ ମୂଳାଷ୍ଟମୀ ଠାରୁ ଶାରଦୀୟ ପର୍ବ ଆରମ୍ଭ ହୋଇଥାଏ । ଏହି ପ୍ରରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ଭାଦ୍ରବ ଶୁକ୍ଳ ଷଷ୍ଠୀ ବା ଷଷ୍ଠୀ ଓଷା ଠାରୁ ଆରମ୍ଭ ହୋଇଥିବା ଏକ ନିଆରା ପରମ୍ପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି । ଉକ୍ତ ଦିନ “ମା” ଷଷ୍ଠୀ ଦେବୀ ବା ଭାଗ୍ୟବିଧାତାର ଦେବୀ ଷଷ୍ଠୀ ଦେବୀ ବେଶରେ ଭକ୍ତଜନଙ୍କୁ ଦର୍ଶନ ଦେଇ ରୀତିନୀତି ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ସୋମବାର ଭାଦ୍ରବ କୃଷ୍ଣ ଲଳିତା ସପ୍ତମୀ ରାତିରେ ପାଳିଆ ମାଳି, ପୂଜକ, ଘଣ୍ଟୁଆ, କାହାଳିଆ, ମଶାଲଧାରୀ ପ୍ରଭୁତି ସେବକଙ୍କ ଗହଣରେ ମା’ ଭଗବତୀଙ୍କ ବିଜେ ପ୍ରତିମା କାଠି ଠାକୁରାଣୀ ମନ୍ଦିରରୁ ବାହାରି ପୂର୍ବ ଦିଗକୁ ଯାତ୍ରା କରି ଚିଲିକା କୁଳରେ ବିଜେ ହୋଇଥିଲେ । ସେଠାରୁ ନୌକା ଯୋଗେ ମା’ କାଳିଜାଇଙ୍କୁ ଶାରଦୀୟ ପର୍ବକୁ ନିମନ୍ତ୍ରଣ କରି ନିର୍ଦ୍ଧାରିତ ବିଧି ଅନୁସାରେ ଆଜ୍ଞାମାଳ ଗ୍ରହଣ କରି ମା’ ଭଗବତୀ ଫେରିଥିଲେ । ଏହାକୁ ପାଣିତୋଳା (ନୈବିହାର) ଯାତ୍ରା କୁହାଯାଏ । ଫେରିବା ବାଟରେ ବାଲୁଗାଁ ଠାରେ ଶଙ୍ଖୁଡ଼ି ଭୋଗ ଖାଇବା ସହ ଜଣେ ପୁରାତନ ବାସିନ୍ଦାଙ୍କ ଦୁଆରେ ମୁଆଁ ଭୋଗ ଗ୍ରହଣ କରିଥିଲେ । ପରେ ପରେ ମା ଭଗବତୀ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ବାଟରେ ଅନ୍ତର କିଆରୀ ଗ୍ରାମରେ “ମା” ବିଜେ ହୋଇଥିଲେ। ସେଠାରେ ଗ୍ରାମଦେବୀଙ୍କ ପୀଠରେ ଭୋର ସମୟରେ ସମର୍ପିତ ପନ୍ତୀ ଭୋଗଖାଇ ସକାଳ ସମୟରେ ଦକ୍ଷେଶ୍ୱର ମନ୍ଦିରକୁ ଫେରି ଆସିଥିଲେ।
ଭୋର୍ ସମୟରେ ଅନ୍ତରକିୟାରୀ ଗ୍ରାମରେ ପନ୍ତୀ ଭୋଗଖାଇ ମନ୍ଦିର ଅଭିମୁଖେ ଯାତ୍ରା ଆରମ୍ଭ କଲେ ମା ଭଗବତୀ !!!

