ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ବାଣପୁର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଶାଳିଆ ଡ୍ୟାମ୍ରୁ ଆସିଥିବା ପାଣି ଯୋଗୁଁ ବାଣପୁରର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ରାସ୍ତା ଓ ତଳିଆ ଅଞ୍ଚଳରେ ପାଣି ଜମି ରହିବା ଯୋଗୁଁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ବାଣପୁରର ସାନହନ୍ତୁଆଡ, ମାଟିଆ ପୋଖରୀ ରୋଡ୍,ଚୈତନ୍ୟବିହାର, ଚିଆଙ୍କ ସାହିର ତୋଟା ସାହି, ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା, ମେଘାମ୍ବରୀ ରୋଡ ଭଳି ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଥିବାରୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ବିଶେଷକରି ଶାଳିଆ ଡ୍ୟାମ୍ରୁ ଆସିଥିବା ପାଣି ଯୋଗୁଁ କେତେକ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇଛି। ରାସ୍ତା ଉପରେ ପାଣି ଜମି ରହିବା ଯୋଗୁଁ ଯାତାୟାତରେ ମଧ୍ୟ ସମସ୍ୟା ଦେଖାଦେଇଛି। ତଳିଆ ଅଞ୍ଚଳରେ ରହୁଥିବା ଲୋକେ ପାଣିକୁ ନେଇ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ଚିଲିକାକୁ ଯିବା ପାଇଁ ବାରଣ କରାଯାଇଛି।ଖରାପ ପାଗ ଓ ଚିଲିକାରେ ସମ୍ଭାବ୍ୟ ବିପଦକୁ ନଜରରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ବାତ୍ୟା ପ୍ରଭାବରେ ବର୍ଷା ଓ ପବନ ଜାରି ରହିଥିବାରୁ ଆଗାମୀ ସମୟରେ ଜଳବନ୍ଦୀ ସ୍ଥିତି ଆହୁରି ବଢ଼ିବା ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ରହିଛି। ଏଭଳି ସ୍ଥିତିରେ ଶାଳିଆ ଡ୍ୟାମ୍ରୁ ଆସୁଥିବା ପାଣି ଓ ବର୍ଷାଜଳର ସ୍ଥିତି ଉପରେ ନଜର ରଖିବା ସହ ଜଳବନ୍ଦୀ ଅଞ୍ଚଳରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନ କୁ ସାଧାରଣରେ ଦାବି ହୋଇଛି। ବାଣପୁରର ବିଭିନ୍ନ ଅଞ୍ଚଳରେ ଏଭଳି ଜଳବନ୍ଦୀ ସ୍ଥିତି ଦେଖାଦେଇଥିବାରୁ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଆବଶ୍ୟକ ହୋଇପଡ଼ିଛି।

