Site icon Awaj Media

ଅସୁସ୍ଥ ହସ୍ପିଟାଲକୁ ସୁସ୍ଥ କରିବା ଦାବିରେ ଆମରଣ ଅନଶନ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ଅସୁସ୍ଥ ହସ୍ପିଟାଲକୁ ସୁସ୍ଥ କରିବା ଦାବିରେ ଆମରଣ ଅନଶନ , ପଦ୍ମପୁରରେ କୋଶଲ ସେନାର ଆନ୍ଦୋଳନ ! ବିଭିନ୍ନ ସଂଗଠନର ସମର୍ଥନ , ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ଆଖପାଖ ସରକାରୀ ହସ୍ପିଟାଲ ଗୁଡ଼ିକର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ଦାବିରେ କୋଶଲ ସେନା ପକ୍ଷରୁ ଆଜିଠାରୁ ଆମରଣ ଅନଶନ ଆରମ୍ଭ ହୋଇଛି । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ଅନଶନ ଚାଲିଛି । ସ୍ୱାସ୍ଥ୍ୟସେବାର ବିଭିନ୍ନ ସମସ୍ୟା ନେଇ ପ୍ରଶାସନିକ ଅଧିକାରୀ, ରାଜନେତା ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନେକଥର ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା କୋଶଲ ସେନା ପକ୍ଷରୁ ଅଭିଯୋଗ କରାଯାଇଛି । କୋଶଲ ସେନାର ଦାବି ଅନୁଯାୟୀ, ପଦ୍ମପୁରରେ ୪୭ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ମାତ୍ର ୨୧ ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି । ସେହିପରି ୭୨ ଜଣ ନର୍ସଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୨୦ ଜଣ ନର୍ସ ରହିଛନ୍ତି । ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଥିବା ଅଭିଯୋଗ ହୋଇଛି । ଏହାସହ ଲୋକସଂଖ୍ୟା ଅନୁପାତରେ ହସ୍ପିଟାଲରେ ପର୍ଯ୍ୟାପ୍ତ ଶଯ୍ୟା ନଥିବାରୁ ଅନେକ ସମୟରେ ରୋଗୀମାନଙ୍କୁ ତଳେ ଶୋଇ ଚିକିତ୍ସିତ ହେବାକୁ ପଡୁଥିବା ଅଭିଯୋଗ କରିଛି ସଂଗଠନ । କୋଶଲ ସେନାର ଏହି ଆମରଣ ଅନଶନକୁ ପଦ୍ମପୁର ସହର ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କୋଶଲ ସେନା ପକ୍ଷରୁ କୁହାଯାଇଛି ।

Exit mobile version