ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ଗ୍ରାମପଞ୍ଚାୟତର ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ “ମାଆ ପାଇଁ ଗଛଟିଏ ” ମାଧ୍ୟମରେ ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି l ଯୁବ ସାମ୍ବାଦିକ ସମୀର ସୁନ୍ଦରାୟ ଚିନ୍ତା କରିଥିଲେ ଯେ, ପୋଖରୀ ହୁଡ଼ା, ପାଣିଟାଙ୍କି, ଅନାବନା ସ୍ଥାନରେ ଉଠୁଥିବା ବର ଏବଂ ଅଶ୍ୱସ୍ତ ଗଛକୁ କିପରି ପୁନଃରୁଦ୍ଧାର କରାଯାଇ ଉପଯୁକ୍ତ ସ୍ଥାନରେ ରୋପଣ କରାଯିବ l ଏହାକୁ ଲକ୍ଷ୍ୟରେ ରଖି ସେ ପତିତପାବନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ପ୍ରଧାନଙ୍କ ସହିତ ଆଲୋଚନା କରିଥିଲେ l ପରବର୍ତ୍ତୀ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଉଦ୍ୟମରେ , ବିଦ୍ୟାଳୟରେ “ମା ପାଇଁ ଗଛଟିଏ ” ବୃକ୍ଷ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା l ଯେଉଁଥିରେ ସ୍ଥାନୀୟ ସରପଞ୍ଚ ଶ୍ରୀ ଦେବାଶିଷ ବେହେରା, ସମାସେବୀ ତଥା ସମାଜ ସୁଧାରକ ଶ୍ରୀ ପ୍ରଫୁଲ୍ଲ କୁମାର ଦାଶ, ସ୍କୁଲ ପରିଚାଳନା କମିଟିର ସଭାପତି ଶ୍ରୀ ଗୌରହରି ଶତପଥୀ, ସାମ୍ୱାଦିକ ସମିର ସୁନ୍ଦରାୟ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l ବୃକ୍ଷ କିପରି ଭାବରେ ସମାଜ ପାଇଁ ଅପରିହାର୍ଯ୍ୟ ତାହାକୁ ଅତିଥି ତଥା ବିଦ୍ୟାଳୟର ଶିକ୍ଷକ ମାନେ ଛାତ୍ର ଛାତ୍ରୀମାନଙ୍କୁ ବୁଝାଇଥିଲେ l କାର୍ଯ୍ୟକ୍ରମ ର ଶେଷ ଭାଗରେ ପ୍ରତ୍ୟେକ ପିଲାଙ୍କୁ ଗୋଟିଏ ଗୋଟିଏ ଗଛ ସହିତ ଗୋଟିଏ ଗୋଟିଏ ଖାଲି ଚାରା ଜରି ଦିଆଯାଇଥିଲା l ପିଲାମାନେ ପାଇଥିବା ଗଛକୁ ନିଜ ମା ଙ୍କ ନାମରେ ନିଜ ନିଜ ବାଡ଼ିରେ ଲଗାଇବା ସହିତ ଖାଲି ଜରିରେ ଅନାବନା ଜାଗାରେ ଉଠିଥିବା ବର କିମ୍ବା ଅଶ୍ୱସ୍ତ ରୋପଣ କରି ପୁନର୍ବାର ଗାନ୍ଧୀଜୟନ୍ତୀ ଦିନ ବିଦ୍ୟାଳୟ କୁ ପ୍ରଦାନ କରିବେ ବୋଲି ପରାମର୍ଶ ଦିଆଯାଇଥିଲା l ଏହାପରେ ଓଡ଼ିଶାର ବୃକ୍ଷ ବାବାଙ୍କ ଦ୍ୱାରା ଉପହାର ସ୍ୱରୂପ ମିଳିଥିବା ଗୋଟିଏ ବର ଏବଂ ଗୋଟିଏ ଅଶ୍ୱସ୍ତ ବୃକ୍ଷକୁ ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା l
ମା ପାଇଁ ଗଛଟିଏ : ଗାନ୍ଧୀ ଜୟନ୍ତୀରେ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ !!!

