ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଲେଖନପୁରସ୍ଥିତ ସମର୍ପଣ ଗୃହରେ ଆଜି ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳନ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମିତି ଓ ସମର୍ପଣ ମିଳିତ ଆନୁକୂଲ୍ୟରେ ସମର୍ପଣ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ୍ ସେବା ପ୍ରାଧିକରଣ ସଚିବ ଅଞ୍ଜଳି ମଛଖଣ୍ଡ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ବିରଞ୍ଚି ନାରାୟଣ ଦାସ ଯୋଗ ଦେଇଥିଲେ । ଆଶ୍ରମର ସମସ୍ତ ଅନ୍ତେବାସୀ ମାନଙ୍କୁ ନେଇ ଏକ ସୁନ୍ଦର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ ମାନେ ଅଲୋଡା ନୁହଁନ୍ତି, ବରଂ ସେମାନଙ୍କ ଅନୁଭୂତି ଓ ଅନୁଭବ ଅନ୍ୟ ମାନଙ୍କୁ ସୁନ୍ଦର ଜୀବନ ଯାପନ କରିବାର ମାର୍ଗ ଦର୍ଶନ କରିଥାଏ ବୋଲି ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର ସଂପାଦକ ଶ୍ରୀଧର ସାହୁ ସ୍ବାଗତ ଅଭିଭାଷଣ ଦେଇଥିଲାବେଳେ ସମର୍ପଣର ବରିଷ୍ଠ ସଦସ୍ୟ ପ୍ରମୋଦ ପଟ୍ଟନାୟକ କହିଥିଲେ ଯେ, ଯେଉଁ ପୁଅବୋହୂ ମାନେ ନିଜ ବାପା ମାଆ ବା ଶାଶୁ ଶଶୁରଙ୍କୁ ସମ୍ମାନର ସହିତ ସେବା ସୁଶ୍ରୁଷା କରୁଛନ୍ତି, ସେମାନଙ୍କୁ ସମ୍ମାନିତ କରିବାର ଆବଶ୍ୟକତା ଅଛି । କାର୍ଯ୍ୟକ୍ରମ ଆରମ୍ଭରୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସମିତିର ଆଇନ ମିତ୍ର ଭାଇ ଭଉଣୀ ମାନେ ସମସ୍ତ ଅନ୍ତେବାସୀ ମଉସା ମାଉସୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ । ସମସ୍ତ ଅନ୍ତେବାସୀ ମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ଓ ବାର୍ଦ୍ଧକ୍ୟ ଜନିତ ବିଭିନ୍ନ ସମସ୍ୟାର ସମାଧାନ ବିଷୟରେ ମଞ୍ଚାସୀନ ଅତିଥି ମାନେ ବହୁ ମୂଲ୍ୟବାନ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମର୍ପଣ ମ୍ୟାନେଜର ସୀତାରାମ ପ୍ରଧାନ ଓ କର୍ମଚାରୀ ମାନସ କୁମାର ନାୟକ, ସରସ୍ବତୀ ସାହୁ, ମାମି ଡାକୁଆ, ଶୋଭାରାଣୀ ଦଳେଇ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହି ସହଯୋଗ କରିଥିଲା ବେଳେ ସମର୍ପଣ ବୃଦ୍ଧାଶ୍ରମ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।।
ସମର୍ପଣ ବୃଦ୍ଧାଶ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ପାଳିତ !!!

