Site icon Awaj Media

ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ବରିଷ୍ଠ ନାଗରିକଙ୍କ ଅଧିକାର, ସୁରକ୍ଷା, ସମ୍ମାନ ଓ କଲ୍ୟାଣ ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତିଙ୍କ ପକ୍ଷରୁ ରାୟଗଡ଼ା ବ୍ଲକ ପ୍ରଶାସନର ମିଳିତ ଅନୁକୂଲ୍ୟରେ ୧ ଅକ୍ଟୋବର ୨୦୨୬ ତାରିଖରେ ରାୟଗଡ଼ା ବ୍ଲକ କନଫରେନ୍ସ ହଲ୍‌ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଗଜପତିର ସଚିବ ଶ୍ରୀ ବିମଳ ରାଉଳ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କ ଆଇନଗତ ଅଧିକାର, ସେମାନଙ୍କ ସୁରକ୍ଷା ଓ ସମ୍ମାନଜନକ ଜୀବନଯାପନ ପାଇଁ ଉପଲବ୍ଧ ଆଇନଗତ ସହାୟତା ଏବଂ ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ଅବସରରେ ରାୟଗଡ଼ା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , ରାୟଗଡ଼ା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଜ୍ୟୋତି ପାଣି, ମର୍ଲାବା ପଞ୍ଚାୟତର ସରପଞ୍ଚ, ଜୋଲାଙ୍ଗ ପଞ୍ଚାୟତର ସରପଞ୍ଚ ଏବଂ ରାୟଗଡ଼ା ବ୍ଲକର ଭାରପ୍ରାପ୍ତ ବିଏସ୍‌ଏସ୍‌ଓ ଶ୍ରୀ ରିଙ୍କୁ ମହାରଣା ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ଅଧିକାର, କଲ୍ୟାଣ, ସୁରକ୍ଷା ଓ ସାମାଜିକ ସମ୍ମାନ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ଶିବିରରେ ଅନେକ ବରିଷ୍ଠ ନାଗରିକ ଯୋଗଦେଇ ଚିକିତ୍ସା ସେବା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶର ସୁବିଧା ଗ୍ରହଣ କରିଥିଲେ । ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସର ମହତ୍ତ୍ୱ ଏବଂ ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତାର ଭାବନା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାୟଗଡ଼ା ବ୍ଲକସ୍ତରୀୟ ରଚନା ଓ ବିତର୍କ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ରାୟଗଡ଼ା ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ସ୍ମାରକ ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ପରିବେଶ ସୁରକ୍ଷା ଓ ସବୁଜ ପରିବେଶର ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ରାୟଗଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ସାମିଲ ହୋଇ ପରିବେଶ ସୁରକ୍ଷାର ବାର୍ତ୍ତାକୁ ଆଗେଇ ନେଇଥିଲେ । ବରିଷ୍ଠ ନାଗରିକଙ୍କ ପ୍ରତି ସମ୍ମାନ, ସେମାନଙ୍କ ଅଧିକାରର ସୁରକ୍ଷା, ସ୍ୱାସ୍ଥ୍ୟ ଯତ୍ନ ଓ ସାମାଜିକ ସୁରକ୍ଷା ସମ୍ପର୍କରେ ଜନସଚେତନତା ବୃଦ୍ଧି କରିବା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ପରିବେଶ ସଚେତନତା ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ଫଳପ୍ରଦ ହୋଇଥିଲା ।

Exit mobile version