Site icon Awaj Media

ମହେନ୍ଦ୍ରଗିରିରେ ଆରମ୍ଭ ହେଲା ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନଶିପ୍ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ରାୟଗଡ ବ୍ଲକ କଇପୁର ସ୍ଥିତ ମହେନ୍ଦ୍ରଗିରି ପର୍ବତ ଠାରେ ଆଜିଠାରୁ ୨୩ତମ ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନଶିପ୍ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ରାଜ୍ୟରୁ ଶ୍ରେଷ୍ଠ ସାଇକ୍ଲିଷ୍ଟମାନେ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଯୋଗଦେଇଛନ୍ତି।ଜାତୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନଶିପ୍ ଆଜି ଠାରୁ ୪ ଅକ୍ଟୋବର ୨୦୨୬ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜିର ଉଦ୍‌ଘାଟନୀ ଦିବସରେ ମାନ୍ୟବର ସାଂସଦବ୍ରହ୍ମପୁର ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶୁଭ ଉଦ୍ଘାଟନ କରିବା ସହ ଯୁବ ବାଳକ ଓ ଯୁବ ବାଳିକା ବର୍ଗର XCO ପ୍ରତିଯୋଗିତାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୂପେଶ କୁମାର ପାଣିଗ୍ରାହୀ,ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ ,ଉପ-ଜିଲ୍ଲାପାଳ,ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣ ରାଓ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରୀନାଥ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି କ୍ରୀଡ଼ାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ଦିନରେ ବିଭିନ୍ନ ବର୍ଗରେ ରୋମାଞ୍ଚକର ପ୍ରତିଦ୍ୱନ୍ଦ୍ୱିତା ଅନୁଷ୍ଠିତ ହୋଇଥିଲା। ଦିନର ବିଭିନ୍ନ ବର୍ଗର ବିଜେତା କ୍ରୀଡ଼ାବିତ୍‌ମାନଙ୍କୁ ଆୟୋଜିତ ପଦକ ବିତରଣ ସମାରୋହରେ ପଦକ ଓ ସମ୍ମାନ ପ୍ରଦାନ କରାଯାଇଛି । ଜାତୀୟ ଚାମ୍ପିଅନଶିପ୍‌ର ଆୟୋଜନ ଓ ପରିଚାଳନା ଉପରେ ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ଶୈଳେନ୍ଦ୍ର ପାଠକ, ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ରାଉତ ଏବଂ ସଭାପତି ଶ୍ରୀମତୀ ମିନତୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସାଇକ୍ଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ବୈଷୟିକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତାର ବୈଷୟିକ ପରିଚାଳନା ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍‌ର ସଦସ୍ୟ, ସ୍ୱେଚ୍ଛାସେବୀ, ମାର୍ଶାଲ୍, ଚିକିତ୍ସା ଦଳ ଏବଂ ଗଜପତି ଜିଲ୍ଲାର ବିଭିନ୍ନ ସହଯୋଗୀ ଦଳଙ୍କ ସମନ୍ୱିତ ପ୍ରୟାସରେ ପ୍ରଥମ ଦିନର ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି। ମହେନ୍ଦ୍ରଗିରିର ଦୁର୍ଗମ ଓ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଜାତୀୟସ୍ତରୀୟ ଏହି ଚାମ୍ପିଅନଶିପ୍‌ର ଆୟୋଜନ ଓଡ଼ିଶାର କ୍ରୀଡ଼ା ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ଏକ ଉଲ୍ଲେଖନୀୟ ଆୟୋଜନ ହୋଇଛି।

Exit mobile version