Site icon Awaj Media

ଶାନ୍ତି ସମାରୋହ ମଞ୍ଚ ପକ୍ଷରୁ ଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଗଣଧାରଣା !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶାନ୍ତି ସମାରୋହ ମଞ୍ଚ ପକ୍ଷରୁ ଗାନ୍ଧୀ ମାର୍ଗରେ ଶାନ୍ତିପୂର୍ଣ୍ଣ ଗଣଧାରଣା ପ୍ରଦର୍ଶନ ! ଆନ୍ଦୋଳନରେ ଓଡ଼ିଶାର ଛଅ ହଜାରରୁ ଉର୍ଦ୍ଧ୍ବ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀଙ୍କ ସମାଗମ , ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦାବିପତ୍ର ପ୍ରଦାନ କଲେ ! ବିରୋଧୀ ଦଳ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ ! ରାଜ୍ୟରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କ ସାମାଜିକ ଏବଂ ଧାର୍ମିକ ଅଧିକାରକୁ ସୁନିଶ୍ଚିତ କରାଯିବା ନିମନ୍ତେ ଆଜି “ଶାନ୍ତି ସମାରୋହ ମଞ୍ଚ, ଓଡ଼ିଶା” ପକ୍ଷରୁ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ମଞ୍ଚ ସଭାପତି ଗାମାଏ ରୀମିଲ ସିଂ ଗୋଇପାଈ ଏବଂ ସମ୍ପାଦକ ମନୋଜ ବାନ୍ଧିଆଙ୍କ ନେତୃତ୍ୱରେ ଏକ ଦିବସୀୟ ଶାନ୍ତିପୂର୍ଣ୍ଣ ଗଣଧାରଣା ଏବଂ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ବିଶେଷ ଭାବରେ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କୁ ସାମାଜିକ ବାସନ୍ଦ, ସାମାଜିକ ଗଣମାଧ୍ୟମରେ ଧର୍ମାବଲମ୍ବୀମାନଙ୍କୁ ପରିହାସ କରାଯାଉଥିବା, ଖ୍ରୀଷ୍ଟିୟାନ ମାନଙ୍କୁ ବଳପୂର୍ବକ ପୂଜା ଚାନ୍ଦା ଆଦାୟ କରାଯିବା, ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣର ମିଛ ଆକ୍ଷେପ କରାଯିବା , ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କୁ ନଳକୂପରୁ ପାଣି ନେବାରୁ ବାରଣ କରାଯାଉଥିବା ପ୍ରସଙ୍ଗ , ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କୁ ଶବ ସତ୍କାର ପାଇଁ ବାରଣ କରା ଯାଉଥିବା ଭଳି ଘଟଣା ଧର୍ମାବଲମ୍ବୀମାନଙ୍କୁ ଅତ୍ୟନ୍ତ ବ୍ୟଥିତ କରୁଥିବା ଅଭିଯୋଗ କରି ଏହି ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କୁ ଆକ୍ରମଣ ହେଲେ ପୋଲିସ ପ୍ରଶାସନ ଏତଲା ଗ୍ରହଣ କରୁ ନଥିବା ଅଭିଯୋଗ କରିଛି ମଞ୍ଚ । ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନଙ୍କ ଶବ ସତ୍କାର ନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ମାନଙ୍କରେ ସ୍ୱତନ୍ତ୍ର ଭାବରେ ସରକାରୀ ଜମି ପ୍ରଦାନ କରାଯିବା ଦାବି ମଧ୍ୟ ଦାବିପତ୍ରରେ ନିବେଦନ କରାଯାଇଛି । ଉକ୍ତ ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ସମର୍ଥନ ଜଣାଇଛି ବିଜୁ ଜନତା ଦଳ ! ଗଣଧାରଣାକୁ ସମର୍ଥନ ଜଣାଇ ବିଜେଡିର ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଗଣେଶ୍ୱର ବେହେରା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ , ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋଶେଫ ତୀର୍କୀ , ଶ୍ରୀମତୀ ପରୱାନା ପରବିନ୍ସ, ସଂଖ୍ୟାଲଘୁ ସେଲ ସଭାପତି ଶେଖ ନିଜାମଉଦ୍ଦିନ ପ୍ରମୁଖ ଗଣଧାରଣା କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଉକ୍ତ ସଭାରେ ଯୋଗଦାନ କରିବା ପୂର୍ବକ ଅଭିଭାଷଣ ପ୍ରଦାନ କରିଥିଲେ । ଗଣଧାରଣା କାର୍ଯ୍ୟକ୍ରମରେ ଛଅ ହଜାରରୁ ଉର୍ଦ୍ଧ ଖ୍ରୀଷ୍ଟିୟାନ ଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା । “ଶାନ୍ତି ସମାରୋହ ମଞ୍ଚ,ଓଡ଼ିଶା” ଏକ ପ୍ରତିନିଧି ଦଳ ଏହି ପ୍ରସଙ୍ଗ ଉପରେ ଦାବିପତ୍ର ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବିଷେଶ ଭାବରେ ଏହି “ଗଣଧାରଣା” କାର୍ଯ୍ୟକ୍ରମରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, କଟକ, ବାଲେଶ୍ବର ଏବଂ ଭଦ୍ରକ, ଖୋର୍ଦ୍ଧା ପ୍ରଭୃତି ଜିଲ୍ଲାର ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଅଂଶଗ୍ରହଣ କରିଥିଲେ । ପ୍ରତିନିଧିଦଳ ବିରୋଧୀ ଦଳ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ସେମାନଙ୍କ ସମସ୍ୟା ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଛନ୍ତି। ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ସମସ୍ୟା ସମାଧାନ କରାଯିବା ନିମନ୍ତେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟପାଳଙ୍କ ସହିତ ଆଲୋଚନା କରିବେ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ମଞ୍ଚ ସଭାପତି ଶ୍ରୀ ଗାମାଏ ରୀମିଲ ସିଂ ଗୋଇପାଈ କହିଛନ୍ତି । କାର୍ଯ୍ୟକ୍ରମରେ ତ୍ରୀଲୋଚନ ଦଙ୍ଗ, ରୁବେନ ବାନ୍ଦିଆ, ଗଣେଶରାମ ସିଂଙ୍କୁ , ଜାମାଦାର ବାଲମୁଚୁ, ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ, ଯଶୀପୁର ବ୍ଲକ ଅନ୍ତର୍ଗତ ଅସ୍ତକୁମାର ସରପଞ୍ଚ ପ୍ୟାରୀ ଟୁଟୀ, କୁସୁନୁ ଗିଲୁଆ,ଭୁବନ ହେମ୍ବ୍ରମ, ମୁରଲୀ ବାନାରା , ଲମ୍ବୋଦର ଗୋଇପାଈ, ସାଧୁଚରଣ ବଦ୍ରା ପ୍ରମୁଖ
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Exit mobile version