Site icon Awaj Media

ଗଜପତିରେ ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ଅବସରରେ ଜନସମ୍ପର୍କ ପଦଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତିରେ ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ଅବସରରେ ଜନସମ୍ପର୍କ ପଦଯାତ୍ରା , ଗାରାବନ୍ଧରୁ ମାଛମରା–କଣ୍ଟାଗଡ଼ ପର୍ଯ୍ୟନ୍ତ ଚାଲିଲା ପଦଯାତ୍ରା ! ଗାନ୍ଧିଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗୋଷାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ମାଛମରା ଓ କଣ୍ଟାଗଡ଼ ଅଞ୍ଚଳ ପର୍ଯ୍ୟନ୍ତ ଯାଇଥିଲା। ପଦଯାତ୍ରାରେ ବିଜେଡିର ନେତା, ପଦାଧିକାରୀ, ଯୁବ ଓ ଛାତ୍ର ନେତା, ମହିଳା କର୍ମୀ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସମ୍ପର୍କ ପଦଯାତ୍ରାରେ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବୀରରାଜୁ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ଗୁମ୍ମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ, ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା ଓ ଗଜପତି ରାଓଙ୍କ ସମେତ ଦଳର ବିଭିନ୍ନ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଗାରାବନ୍ଧଠାରୁ ପଦଯାତ୍ରା ଆରମ୍ଭ ହେବା ପରେ ଦଳୀୟ ନେତା ଓ କର୍ମୀମାନେ ଏକାଠି ହୋଇ ବିଭିନ୍ନ ଗ୍ରାମ ଓ ଜନବସତି ଦେଇ ମାଛମରା ଓ କଣ୍ଟାଗଡ଼ ଅଭିମୁଖେ ଅଗ୍ରସର ହୋଇଥିଲେ। ପଦଯାତ୍ରା ସମୟରେ ଅଞ୍ଚଳବାସୀଙ୍କ ସହ ଦଳୀୟ ନେତାମାନେ ସିଧାସଳଖ ମତବିନିମୟ କରିଥିଲେ। ଲୋକଙ୍କ ବିଭିନ୍ନ ସମସ୍ୟା, ଅଭିଯୋଗ ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ସ୍ଥାନୀୟ ସମସ୍ୟାଗୁଡ଼ିକୁ ଶୁଣିଥିଲେ । ପଦଯାତ୍ରା ଅବସରରେ ଗ୍ରାମାଞ୍ଚଳରେ ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଜୀବିକା ଭଳି ବିଭିନ୍ନ ମୌଳିକ ପ୍ରସଙ୍ଗ ନେଇ ଲୋକଙ୍କ ସହ ଆଲୋଚନା ହୋଇଥିବା ଦଳ ପକ୍ଷରୁ କୁହାଯାଇଛି। ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସୁଖଦୁଃଖରେ ସାମିଲ ହେବା ଏବଂ ସେମାନଙ୍କ ମତାମତ ଓ ସମସ୍ୟା ଜାଣିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳୀୟ ନେତାମାନେ କହିଥିଲେ । ଏହି ଅବସରରେ ଦଳୀୟ କର୍ମୀମାନେ ବିଜେଡିର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଅଭିଯାନ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ। ତୃଣମୂଳସ୍ତରରେ ଦଳୀୟ ସଂଗଠନକୁ ସକ୍ରିୟ କରିବା ସହ ସାଧାରଣ ଲୋକଙ୍କ ସହ ନିୟମିତ ଯୋଗାଯୋଗ ରଖିବା ଓ ସ୍ଥାନୀୟ ପ୍ରସଙ୍ଗଗୁଡ଼ିକୁ ଉପଯୁକ୍ତ ମଞ୍ଚରେ ଉଠାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Exit mobile version