ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗାନ୍ଧୀ ଜୟନ୍ତୀ ଓ ଅନ୍ତର୍ଜାତୀୟ ଅହିଂସା ଦିବସ ଅବସରରେ ବାଲୁଗାଁ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ସେବାମୂଳକ ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍ଏସଏସ), ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍ସିସି), ଯୁବ ରେଡକ୍ରସ୍ ଓ ରୋଭର୍ସ-ରେଞ୍ଜର୍ସର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ରୀନା ରାଉତ, ଅଧ୍ୟାପିକା ସ୍ୱାତୀ ସ୍ୱାଗତିକା ସାହୁ, ଲେଫ୍ଟନାଣ୍ଟ ଚନ୍ଦନ ନାୟକ ଓ ଅଧ୍ୟାପକ ଉମାକାନ୍ତ ସାହୁଙ୍କ ନେତୃତ୍ୱରେ ସ୍ୱେଚ୍ଛାସେବୀମାନେ ବାଲୁଗାଁ ଗାନ୍ଧୀ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ଓ ସାମାଜିକ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଗାନ୍ଧୀଜୀଙ୍କ ସ୍ୱଚ୍ଛତା, ଅହିଂସା ଓ ସେବାର ଆଦର୍ଶକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଏନ୍ଏସଏସ ପକ୍ଷରୁ ନୂତନ ସ୍ୱେଚ୍ଛାସେବୀଙ୍କ ପାଇଁ ଏକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଏଥିରେ ରାଜ୍ୟର ବିଶିଷ୍ଟ ସ୍ୱେଚ୍ଛାସେବୀ ଶ୍ରୀ ସୋମ ଯୋଗଦେଇ ନୂତନ ସ୍ୱେଚ୍ଛାସେବୀମାନଙ୍କୁ ଦେଶ ସେବା, ସାମାଜିକ ଦାୟିତ୍ୱ ଓ ରାଷ୍ଟ୍ର ନିର୍ମାଣ ଦିଗରେ ପ୍ରେରଣା ଓ ତାଲିମ ପ୍ରଦାନ କରିଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିବା ଛାତ୍ରୀ ସ୍ମୃତି ପ୍ରଜ୍ଞା ମହାରଣା, ରାନୀ ବେହେରା, କ୍ରିଷ୍ଣା ପରିମାଣିକ, ଶ୍ରୀତମ ମୁଦୁଲି, ତୃପ୍ତିମୟୀ ବେହେରା, ଇପ୍ସିତା ବେହେରା ଓ ସୁଶୀଲ ମାଝି ପ୍ରମୁଖ ସ୍ୱେଚ୍ଛାସେବୀଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶଂସାପତ୍ର ପ୍ରଦାନ କରିଥିଲେ। ପରେ ସେବା ସଂକଳ୍ପ ଅଭିଯାନର ଅଂଶ ଭାବେ ସ୍ୱେଚ୍ଛାସେବୀମାନେ *ନିଶା ନିବାରଣ ଓ ନାରୀ ସୁରକ୍ଷା* ଭଳି ସାମାଜିକ ପ୍ରସଙ୍ଗକୁ ନେଇ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ନାଟକ ମାଧ୍ୟମରେ ନିଶାର କୁପ୍ରଭାବ ଓ ନାରୀଙ୍କ ସୁରକ୍ଷା ପ୍ରତି ସମାଜର ଦାୟିତ୍ୱ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି ଗାନ୍ଧୀବାଦ ଓ ଗାନ୍ଧୀ ଦର୍ଶନ ସମ୍ପର୍କରେ ଆଲୋଚନା କରି ଛାତ୍ରଛାତ୍ରୀଙ୍କୁ ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଏହାପରେ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ସଂଚାଳନ କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ରୀନା ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ଏହି ସେବା, ସ୍ୱଚ୍ଛତା ଓ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ, ଦେଶପ୍ରେମ ଓ ସେବା ମନୋଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା।

