Site icon Awaj Media

ସେବା ପକ୍ଷ ଅବସରରେ ବାଣପୁରରେ ରକ୍ତଦାନ ଶିବିର : ୩୫ ୟୁନିଟ୍ ରକ୍ତ ସଂଗ୍ରହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶା ସରକାରଙ୍କ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’ ଅବସରରେ ପାଳିତ ହେଉଥିବା ସେବା ପକ୍ଷ କାର୍ଯ୍ୟକ୍ରମ ଅଧୀନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ରୋଟାରୀ କ୍ଲବ୍ ବାଣପୁର-ବାଲୁଗାଁ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମିଳିତ ସହଯୋଗରେ ଆୟୋଜିତ ଏହି ଶିବିରରେ ସ୍ଥାନୀୟ ଜନସାଧାରଣଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନ ଦେଖିବାକୁ ମିଳିଥିଲା। ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କାର୍ଯ୍ୟକ୍ରମରେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଏବଂ ବିଧାୟକ ତଥା ମନ୍ତ୍ରୀଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା ଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ରକ୍ତଭଣ୍ଡାରର କର୍ମଚାରୀମାନେ ଶିବିରରେ ଉପସ୍ଥିତ ରହି ରକ୍ତ ସଂଗ୍ରହ କାର୍ଯ୍ୟକୁ ସୁପରିଚାଳନା କରିଥିଲେ। ଏଥିସହ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ରୋଟାରୀ କ୍ଲବ୍ ବାଣପୁର-ବାଲୁଗାଁର ସଦସ୍ୟମାନେ ଶିବିରର ସଫଳ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ରକ୍ତଦାନ ସହିତ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ପରିସରରେ ବୃକ୍ଷରୋପଣ ମଧ୍ୟ କରାଯାଇଥିଲା। ସେବା ପକ୍ଷ ଅବସରରେ ଆୟୋଜିତ ଏହି ଦୁଇଟି କାର୍ଯ୍ୟକ୍ରମକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି ।

Exit mobile version