ପାରାଦୀପ ( ଆୱାଜ ମିଡ଼ିଆ ) – ରବିନ ବିଶ୍ୱାସ : ଗତ ଅକ୍ଟୋବର ୨ ତାରିଖରୁ ଜିନ୍ଦଲ ପ୍ରଭାବିତ ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତି ପକ୍ଷରୁ ଆରମ୍ଭ ହୋଇଥିବା ଗଣଧାରଣା ତୃତୀୟ ଦିନରେ ପହଞ୍ଚିଛି l ଢ଼ିଙ୍କିଆ ସ୍ଥିତ ଜେଏସଡବ୍ଲୁ କମ୍ପାନୀରେ ବିସ୍ଥାପିତଙ୍କୁ ନିଯୁକ୍ତି , ଜମି ବାବଦ କ୍ଷତିପୂରଣ ସହ ବିଭିନ୍ନ ଦାବୀକୁ ନେଇ ଗଣଧାରଣା ଜାରୀ ରହିଛି l ଜିନ୍ଦଲ ପ୍ରଭାବିତ ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତି ର ଆବାହକ ବିଜୟ କେତନ ସାହୁଙ୍କ କହିବା ଅନୁଯାୟୀ, ଦୀର୍ଘ ଦିନରୁ ବିଭିନ୍ନ ଦାବୀ ନେଇ ଜିନ୍ଦଲ କର୍ତ୍ତୃପକ୍ଷ, ବ୍ଲକ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ଯ ସରକାରଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ I ୨୦୨୧ ମସିହାରେ ଢିଙ୍କିଆ ଚାରି ଦେଶ ୩ ପଞ୍ଚାୟତର ସମସ୍ତ ଜନ ପ୍ରତିନିଧି, ଜିଲ୍ଲା ପ୍ରଶାସନ ଓ ଜିନ୍ଦଲ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା କି, ଢିଙ୍କିଆ ଚାରି ଦେଶ ଅଞ୍ଚଳର ୮୦ % ଲୋକଙ୍କୁ ନିଯୁକ୍ତି ଦିଆଯିବ, ଯାହାକି ପ୍ରତ୍ୟେକ ରାସନ କାର୍ଡ ପିଛା ଜଣଙ୍କୁ ନିଯୁକ୍ତି ଦିଆଯିବ ଏବଂ ରାସନ କାର୍ଡ ଆଧାରରେ ଲୋକଙ୍କୁ ୮୮,୦୦୦ ଟଙ୍କା କ୍ଷତିପୂରଣ ବାବଦକୁ ଦିଆଯିବ l କିନ୍ତୁ ୮୦% ନିଯୁକ୍ତି କେବଳ କାଗଜ କଲମରେ ସୀମିତ ରହିଛି, ବାସ୍ତବରେ ୮% ଲୋକ ନିଯୁକ୍ତି ପାଇ ନାହାଁନ୍ତି l କମ୍ପାନୀ ଯାହାକୁ ନିଯୁକ୍ତି ଦେଉଛି, ସେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଠାରୁ ବି ତଳ ସ୍ତରର l କୌଣସି ଲୋକଙ୍କୁ ଜିନ୍ଦଲରେ ସିଧାସଳଖ ନିଯୁକ୍ତି ଦିଆନଯାଇ, ବିଭିନ୍ନ ଛୋଟ ଛୋଟ ଭେଣ୍ଡର ଜରିଆରେ ନିଯୁକ୍ତି ଦିଆଯାଉଛି, ଯାହାକି ସେ ଚାକିରିର କୌଣସି ସ୍ଥାୟିତ୍ଵ ନାହିଁ I ବହୁତ ଲୋକଙ୍କୁ ବିନା ସୂଚନାରେ ଚାକିରିରୁ ବହିଷ୍କୃତ କରାଯାଉଛି ବୋଲି ଶ୍ରୀ ସାହୁ କହିଛନ୍ତି l ଏହା ସହିତ ନୂଆଗାଁ ପଞ୍ଚାୟତର ୧୦୦ ରୁ ଊର୍ଦ୍ଧ୍ବ ଜମିହରା ଲୋକ କ୍ଷତିପୂରଣ ପାଇବାରୁ ବଞ୍ଚିତ ହୋଇଛନ୍ତି l ଧାନ, ପାନ, ମୀନ ଦ୍ଵାରା ଜିବିକା ନିର୍ବାହ କରୁଥିବା ଲୋକ ମାନେ ଜିବିକା ହରାଇଥିବା ବେଳେ କିଛି ହାତଗଣତି ଲୋକଙ୍କୁ କମ୍ପାନୀ କ୍ଷତିପୂରଣ ଦେଇ ଅନ୍ୟ ମାନଙ୍କୁ କ୍ଷତିପୂରଣ ପାଇବାରୁ ବଞ୍ଚିତ କରାଯାଇଛି ଓ ଏହା ସହ କମ୍ପାନୀ ପକ୍ଷରୁ ଦିଆଯାଉଥିବା ପୋଷ୍ଟ ମାଟ୍ରିକ ସ୍କଲାରସିପକୁ ମଧ୍ୟ ବନ୍ଦ କରିଦିଆଯାଇଛି ବୋଲି ଜିନ୍ଦଲ ପ୍ରଭାବିତ ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତି ର ଆବାହକ ଶ୍ରୀ ବିଜୟ କେତନ ସାହୁ କହିଛନ୍ତି l ସେହିପରି ଉପଦେଷ୍ଟା କ୍ଷୀରୋଦ ଚନ୍ଦ୍ର ପରିଡା କହିଛନ୍ତି ଯେ, ୨୦୧୯ ଠାରୁ କମ୍ପାନୀ ଆରମ୍ଭ ହେଲା, ଜମି ଅଧିଗ୍ରହଣ ହେଲା l ହେଲେ କମ୍ପାନୀ ଯେଉଁ ପ୍ରତିଶ୍ରୁତି ଦେଇଥିଲା ପାଳନ କଲା ନାହିଁ l ସେଥିପାଇଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି l ଆମ ଅଞ୍ଚଳରୁ ଗତ ଜାନୁୟାରୀ ମାସରେ ଆଇଟିଆଇ, ଡିପ୍ଲୋମା, ବିଟେକ୍ ଯୋଗ୍ୟତା ଧାରୀ ୩୧୩ ଜଣ ଚାକିରୀ ପାଇଁ ଆବେଦନ କରିଥିବା ବେଳେ ସେଥିରୁ ସର୍ଟଲିଷ୍ଟ କରାଯାଇ ୨୦୩ ଜଣଙ୍କ ଇଣ୍ଟରଭ୍ୟୁ କରାଯାଇଥିଲା ଓ ୨୨ ଜଣଙ୍କୁ ଆଉଟ ସୋର୍ସିଙ୍ଗ ଜରିଆରେ ନିଯୁକ୍ତି ଦିଆଯାଇଥିଲା I ବର୍ତ୍ତମାନ ୪ ଜଣ ଙ୍କୁ ବହିଷ୍କାର କରାଯାଇଛି l ଏହା ସହ କନଷ୍ଟ୍ରକସନ କାମ ପାଇଁ ଯୋବ୍ରା ଆନିକଟରୁ ପାଣି ଆଣିବା ପାଇଁ ଚୁକ୍ତି ହୋଇଥିବା ବେଳେ, କମ୍ପାନୀ ପକ୍ଷରୁ ୩୦୦ ଟ୍ୟୁବୱେଲ ଖୋଳାଯାଇ ପାଣି କୁ କମ୍ପାନୀ କାମରେ ଲଗାଯାଉଛି I ପୁର୍ବରୁ ୨୦-୨୫ ଫୁଟ ଖୋଳିଲା ପରେ ବ୍ୟବହାର ଯୋଗ୍ୟ ପାଣି ବାହାରୁ ଥିଲା, ଏବେ ୬୦ ଫୁଟ ଖୋଳିଲା ପରେ ମଧ୍ୟ ଯେଉଁ ପାଣି ବାହାରୁଛି, ତାହା ବ୍ୟବହାର ଯୋଗ୍ୟ ନୂହେଁ I ଢ଼ିଙ୍କିଆ, ଗଡ଼ କୁଜଙ୍ଗ, ତ୍ରିଲୋଚନପୂର ଗାଁରେ ଲୋକ ମାନେ ପାଣି କିଣି ପିଉଛନ୍ତି I କମ୍ପାନୀ ପାଇଁ ଲକ୍ଷ ଲକ୍ଷ ଗଛ କରାଯାଇଛି, କିନ୍ତୁ ବନୀକରଣ କେବଳ କାଗଜ କଲମରେ ଚାଲିଛି l ତେବେ ୩ ଦିନ ଧରି ଜିନ୍ଦଲ ପ୍ରଭାବିତ ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତି ପକ୍ଷରୁ ୧୩ ଦଫା ଦାବୀ ନେଇ ଗଣଧାରଣା ଜାରୀ ରହିଥିବା ବେଳେ ଆଲୋଚନା ପାଇଁ ଜିନ୍ଦଲ କର୍ତ୍ତୃପକ୍ଷ, ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ କେହି ପହଞ୍ଚି ନ ଥିବା ବେଳେ, ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଗଣଧାରଣା ଜାରୀ ରହିବ ବୋଲି ଜିନ୍ଦଲ ପ୍ରଭାବିତ ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତି ପକ୍ଷରୁ କୁହାଯାଇଛି l
ତୃତୀୟ ଦିନରେ ଜିନ୍ଦଲ ପ୍ରଭାବିତ ଢିଙ୍କିଆ ଚାରିଦେଶ ଉନ୍ନୟନ ସମିତିର ଗଣଧାରଣା !!!

