ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ ପଟ୍ଟନାୟକ : ନୟାଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ନୟାଗଡ଼ ଷ୍ଟାଡିୟମଠାରେ ସେବା ସଂକଳ୍ପ ଅଭିଯାନ -୨୦୨୬ ଅନ୍ତର୍ଗତ ଏକ ସେବା ଜ୍ୟୋତି ପଦଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଦେବାଶିଷ ସାମନ୍ତରାୟ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ପୂର୍ବତନ କନ୍ଧମାଳ ସାଂସଦ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବ୍ଲକ ଅଧ୍ୟକ୍ଷ,ନୟାଗଡ଼ ଶ୍ରୀ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ଜନ ଜାତି ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ତ୍ରିନାଥ ମଲ୍ଲିକ, ବରିଷ୍ଠ ଆଇନଜୀବୀ ଶ୍ରୀ ମାଧବ ପ୍ରସାଦ ମିଶ୍ର, ବିଶିଷ୍ଟ ସମାଜ ସେବୀ ଶ୍ରୀ ରାଘବ ମଲ୍ଲିକ, ତାପସ ରଞ୍ଜନ ମାର୍ଥା, ସୁରଥ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ l
ପ୍ରାରମ୍ଭରେ ସକାଳ ୯ ଘଟିକା ସମୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ପ୍ରଥମେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ, ସ୍ୱାଗତ ସମ୍ବର୍ଦ୍ଧନା ଏବଂ ‘ବନ୍ଦେ ମାତରଂ’ ଗାନ କରାଯାଇଥିଲା । ଅତିଥିମାନେ ନିଜ ନିଜ ଅଭିଭାଷଣରେ ଦେଶର ପ୍ରଗତି ଏବଂ ସେବା ମନୋଭାବ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଏହା ପରେ ଆଭାସୀ ମାଧ୍ୟମରେ ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନୀତିନ ନବୀନ ଏବଂ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦ୍ବୋଧନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଉପସ୍ଥିତ ସମସ୍ତ ନାଗରିକ “ବିକଶିତ ଭାରତ @୨୦୪୭” ନିର୍ମାଣ ପାଇଁ ସାମୂହିକ ସଂକଳ୍ପ ପାଠ କରିଥିଲେ । ସଂକଳ୍ପ ଗ୍ରହଣ ପରେ ପୂର୍ବାହ୍ନ ୧୧ ଘଟିକା ସମୟରେ ଅତିଥିମାନଙ୍କ ଦ୍ୱାରା “ସେବା ଜ୍ୟୋତି” ପ୍ରଜ୍ୱଳିତ କରାଯାଇଥିଲା ଏବଂ ଜାତୀୟ ସଂଗୀତ ଗାନ ପରେ ସେବା ଜ୍ୟୋତି ସ୍ଥାପନା ଉଦ୍ଦେଶ୍ୟରେ ଏକ ପଦଯାତ୍ରା ବାହାରିଥିଲା, ଯେଉଁଥିରେ ଶତାଧିକ ଲୋକ ବହୁ ଉତ୍ସାହର ସହ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଏହି ଅବସରରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏକ ବିଶାଳ ଭାରତ ମଣ୍ଡଳମ ଏବଂ ରଙ୍ଗୋଲି ରାଷ୍ଟ୍ର ନିର୍ମାଣ କରାଯାଇଥିଲା l ଏହି ନିର୍ମାଣରେ କେବଳ ପ୍ରାକୃତିକ ସାମଗ୍ରୀ ଯଥା ଫୁଲ, ପତ୍ର, ଧାନ,ଚାଉଳ, ମାଟି, ଗୋଡ଼ି ଆଦି ବ୍ୟବହାର କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଆଇନଜୀବୀ ଶ୍ରୀ ଚନ୍ଦ୍ର ବିଜୟୀ ମିଶ୍ର ସୁଚାରୁ ରୂପେ ପରିଚାଳନା କରିଥିଲେ l

