Site icon Awaj Media

ଦୀର୍ଘ ଦିନ ଧରି ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ : ଗୁଳୁଗୁଳିରେ ବେହୋସ ହେଲେ ଛାତ୍ରୀ !!!

Spread the love

ପାଇକମାଳ ( ଆୱାଜ ମିଡ଼ିଆ ) – କୃଷ୍ଣଚନ୍ଦ୍ର ସାହୁ : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ପ୍ରାର୍ଥନା ସମୟରେ ଅତ୍ୟଧିକ ଗୁଳୁଗୁଳି ଯୋଗୁଁ ଜଣେ ଛାତ୍ରୀ ବେହୋସ ହୋଇପଡ଼ିଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଝାରବନ୍ଧ ଡାକ୍ତରଖାନାକୁ ନିଆଯାଇଥିଲା। ମିଲିଥିବା ସୂଚନା ଅନୁସାରେ ବିଦ୍ୟାଳୟର ବିଦ୍ୟୁତ ସଂଯୋଗ ଗତ ୧୮ ଦିନ ଧରି ବିଚ୍ଛିନ୍ନ ରହିଛି। ବିଦ୍ୟୁତ ବିଲ୍ ବକେୟା ଥିବାରୁ ବିଦ୍ୟୁତ ବିଭାଗ ସଂଯୋଗ କାଟିଦେଇଥିବା କୁହାଯାଉଛି। ଫଳରେ ଫ୍ୟାନ୍‌ କିମ୍ବା କୁଲର୍‌ ଚାଲୁନଥିବାରୁ ଏହି ଗରମ ଓ ଗୁଳୁଗୁଳି ମଧ୍ୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ପ୍ରାର୍ଥନା ଚାଲିଥିବା ସମୟରେ ଜଣେ ଛାତ୍ରୀ ଅସୁସ୍ଥ ହୋଇ ହଠାତ୍ ବେହୋସ ହୋଇପଡ଼ିଥିଲେ। ସହପାଠୀ ଓ ଶିକ୍ଷକମାନେ ତୁରନ୍ତ ତାଙ୍କ ଯତ୍ନ ନେବା ସହ ୧୦୮ ଆମ୍ବୁଲାନ୍ସକୁ ଡାକି ଡାକ୍ତରଖାନାକୁ ପଠାଇଥିଲେ।ଅଭିଯୋଗ ଅନୁସାରେ, ଗୁଳୁଗୁଳି ଯୋଗୁଁ ଏହା ପୂର୍ବରୁ ମଧ୍ୟ କିଛି ଛାତ୍ରୀ ଅସୁସ୍ଥ ହୋଇଥିବା କୁହାଯାଉଛି। ଏନେଇ ଝାରବନ୍ଧ ବିଇଓ ଶୁଭମ କୁମାର ପତି କହିଛନ୍ତି ଯେ, ବିଦ୍ୟୁତ ବିଭାଗ ସହ ଯୋଗାଯୋଗ କରାଯାଇଛି। ଖୁବ୍‌ଶୀଘ୍ର ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ କରାଯିବ।

Exit mobile version