ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଦିଲ୍ଲୀର ଜନ୍ତରମନ୍ତରଠାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ୍ ଛକଠାରେ ରାଜ୍ୟର ସଚେତନ ନାଗରିକ ଓ ଯୁବକମାନଙ୍କ ପକ୍ଷରୁ ଏକ ଅଭିନବ ଢଙ୍ଗରେ ପ୍ରତିବାଦ କରାଯାଇଥିଲା। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯିବା ସହ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିରପେକ୍ଷତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିବାଦକୁ ଅଧିକ ଆକର୍ଷଣୀୟ ଓ ପ୍ରତୀକାତ୍ମକ କରିବା ପାଇଁ ଜ୍ଞାନେଶ କୁମାରଙ୍କୁ ଏକ କୃତ୍ରିମ କାରାଗାର ଭିତରେ ବନ୍ଦୀ ଭାବେ ଦର୍ଶାଇ ପ୍ରତିବାଦ କରାଯାଇଥିଲା। ଏହି ଅଭିନବ ପ୍ରତିବାଦ ମାଧ୍ୟମରେ ଆନ୍ଦୋଳନକାରୀମାନେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଦାବି ପ୍ରତି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଗଣତନ୍ତ୍ରରେ ନିର୍ବାଚନର ସ୍ୱଚ୍ଛତା ଓ ନିରପେକ୍ଷତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାର ସୁରକ୍ଷା ପାଇଁ ସଚେତନ ନାଗରିକମାନେ ଏକଜୁଟ ହୋଇ ନିଜର ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ବୋଲି ପ୍ରତିବାଦକାରୀମାନେ ମତ ପ୍ରକାଶ କରିଥିଲେ। ବିଗତ ଦିନରେ ସଘନ ସଂଶୋଧନ ପ୍ରକ୍ରିୟାର ଦୂରୁପଯୋଗ କରି ମୁଖ୍ୟ ନିର୍ଵାଚନ ଅଧିକାରୀ ଜ୍ଞାନେଶ କୁମାର ଅନ୍ୟ ଦୁଇ ନିର୍ଵାଚନ ଅଧିକାରୀଙ୍କ ଅଗୋଚରରେ ଅଣ ଭାଜପା ଶାସିତ ରାଜ୍ୟରେ କିଭଳି ଲକ୍ଷ ଲକ୍ଷ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେଇ ଭାଜପାକୁ କ୍ଷମତାସୀନ କରିବାର ଚଞ୍ଚକତା କରି ଗଣତନ୍ତ୍ରର ହତ୍ୟା କରିଛନ୍ତି ତାହାକୁ ନେଇ ଅଂଶଗ୍ରହଣକାରୀ ମାନେ ସେମାନଙ୍କ ବକ୍ତବ୍ୟରେ କ୍ଷୋଭ ପ୍ରକାଶ କରିଥିଲେ।ପ୍ରତିବାଦକାରୀମାନେ କୃତ୍ରିମ ଜେଲ୍ କୋଠରୀ ମଧ୍ୟରେ ଜ୍ଞାନେଶ କୁମାରଙ୍କୁ ବନ୍ଦୀ ଦର୍ଶାଇ ଏକ ଶୋଭାଯାତ୍ରାରେ ଚଲେଇ ଚଲେଇ ନେଇଥିଲେ। ଏହି ଅଭିନବ ପ୍ରତିବାଦରେ ଶ୍ରୀ ନିଶିକାନ୍ତ ମହାପାତ୍ର, ଶ୍ରୀ ମନ୍ମଥ ରାଉତ,ଶ୍ରୀ ସତୀଶ ମିଶ୍ର , ଶ୍ରୀ ସୌମ୍ୟ ରଞ୍ଜନ ସ୍ୱାଇଁ,ଶ୍ରୀ ଶ୍ରୀକାନ୍ତ ପାଣି, ଶ୍ରୀ ସନ୍ଦୀପ୍ତ ଦାସ୍,ଶ୍ରୀ କଲ୍ୟାଣ ଆନନ୍ଦ, ଶ୍ରୀ ଜୟସୂର୍ଯ୍ୟ କାନୁନଗୋ, ଶ୍ରୀମତି ମୋନାଲିସା ଗନ୍ତାୟତ, ଶ୍ରୀମତି ଜ୍ୟୋତିର୍ମୟୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

