Site icon Awaj Media

ସରକାରୀ କାର୍ଯ୍ୟାଳୟରେ ନାହିଁ ଶୌଚାଳୟ : ମହିଳା କର୍ମଚାରୀଙ୍କ ଶୌଚ ପାଇଁ ଭରସା ଖୋଲା ସ୍ଥାନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରୀ କାର୍ଯ୍ୟାଳୟରେ ନାହିଁ ଶୌଚାଳୟ , ମହିଳା କର୍ମଚାରୀଙ୍କ ଶୌଚ ପାଇଁ ଭରସା ଖୋଲା ସ୍ଥାନ ! ମହିଳାଙ୍କ ସମ୍ମାନ ଓ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ? ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧୀନରେ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମୌଳିକ ସୁବିଧାର ଅଭାବକୁ ନେଇ ଏବେ ପ୍ରଶ୍ନ ଉଠିଛି । ବିଶେଷକରି କାର୍ଯ୍ୟାଳୟରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ପାଇଁ ଶୌଚାଳୟ ନଥିବା ଅଭିଯୋଗ ସାମ୍ନାକୁ ଆସିଛି ।

ସୂଚନା ଅନୁସାରେ, ଉକ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ମହିଳା ଓ ପୁରୁଷ କର୍ମଚାରୀମାନେ କାର୍ଯ୍ୟରତ ଥିଲେ ମଧ୍ୟ ସେଠାରେ ଆବଶ୍ୟକ ଶୌଚାଳୟ ସୁବିଧା ନଥିବା ଅଭିଯୋଗ ହୋଇଛି। ଫଳରେ କର୍ମଚାରୀମାନେ ଶୌଚ ପାଇଁ ଖୋଲା ସ୍ଥାନ ଉପରେ ନିର୍ଭର କରୁଥିବା କୁହାଯାଉଛି । ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏନେଇ ପୂର୍ବରୁ ଅନେକଥର ଲିଖିତ ଭାବେ ଅଭିଯୋଗ କରାଯାଇଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଯେଉଁ ସମୟରେ ସରକାର ମହିଳାଙ୍କ ସମ୍ମାନ, ସୁରକ୍ଷା ଓ କାର୍ଯ୍ୟସ୍ଥଳରେ ଉପଯୁକ୍ତ ପରିବେଶ ନେଇ ଗୁରୁତ୍ୱ ଦେଉଛନ୍ତି, ସେହି ସମୟରେ ଏକ ସରକାରୀ କାର୍ଯ୍ୟାଳୟରେ ମହିଳା କର୍ମଚାରୀଙ୍କ ପାଇଁ ଶୌଚାଳୟ ନଥିବା ଘଟଣା ପ୍ରଶାସନିକ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି । କର୍ମଚାରୀଙ୍କ ମୌଳିକ ଆବଶ୍ୟକତା ପ୍ରତି ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି କେବେ ପଡ଼ିବ? ଅଭିଯୋଗ ସତ୍ତ୍ୱେ ଏପର୍ଯ୍ୟନ୍ତ ଶୌଚାଳୟ ନିର୍ମାଣ କାହିଁକି ହୋଇନାହିଁ? ଏହି ସମସ୍ୟାର ସମାଧାନ ପାଇଁ ବ୍ଲକ ଓ ସମ୍ପୃକ୍ତ ବିଭାଗ କେବେ ପଦକ୍ଷେପ ନେବେ ? ଏବେ ଅପେକ୍ଷା ରହିଛି, ଏହି ଅଭିଯୋଗ ଉପରେ ପ୍ରଶାସନ କେତେ ଶୀଘ୍ର ପଦକ୍ଷେପ ନେଉଛି ।

Exit mobile version