ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଗୋକୁଳପୁର ଗ୍ରାମ ସ୍ବର୍ଗତ ହରେକୃଷ୍ଣ ସାମନ୍ତସିଂହାରଙ୍କ ଗାଡି ଧକ୍କାରେ ମୃତ୍ୟୁ ଏବଂ ତାଙ୍କ ପରିବାରର ଦୁଃଖର କାହାଣୀ ନେଇ ଆମ ଚ୍ୟାନେଲ ମାଧ୍ୟମରେ ଖବର ପ୍ରସାରଣ କରିଥିଲୁ l ଖବର ପ୍ରସାରଣର ମାତ୍ର ୨୪ ଘଣ୍ଟା ନପୂରୁଣୁ ଦେଖିବାକୁ ମିଳିଲା ବେଗୁନିଆ ପ୍ରଶାସନର ତତ୍ପରତା । ଏହି ଅସହାୟ ପରିବାରର ଦୁଃଖ ବୁଝି ସହାୟତାର ହାତ ବଢ଼ାଇଲେ ବେଗୁନିଆ ବିଡ଼ିଓ ଏବଂ ତହସିଲଦାର । ସରକାରୀ ଯୋଜନାରେ ଆର୍ଥିକ ସହାୟତା ସହିତ ଦୁଇ କୁନି ପିଲାଙ୍କ ପାଠପଢ଼ା ଓ ଭରଣପୋଷଣ ପାଇଁ ମଧ୍ୟ ମିଳିଲା ପ୍ରତିଶ୍ରୁତି। ବେଗୁନିଆ ବିଡ଼ିଓ ସନ୍ତୋଷ କୁମାର ଜେନା , ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ , ବ୍ଲକ ଉପାଧ୍ୟକ୍ଷଙ୍କ ପ୍ରତିନିଧି ସୁଶାନ୍ତ ମହାପାତ୍ର ଏବଂ ସ୍ଥାନୀୟ ସରପଞ୍ଚ ଦେବାଶିଷ ବେହେରା ମୃତକଙ୍କ ପରିବାର ନିକଟରେ ପହଞ୍ଚି ପରିବାରର ସମସ୍ୟା ବୁଝିଥିଲେ ।
ପ୍ରଶାସନ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା, ଜନମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ଏବଂ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ମିଳିଛି । ଏଥିସହିତ ଚାଇଲ୍ଡ ୱେଲଫେୟାର ବିଭାଗ ପକ୍ଷରୁ ଦୁଇ ପିଲାଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ପ୍ରତି ମାସରେ ପ୍ରତ୍ୟେକଙ୍କୁ ୪ ହଜାର ଟଙ୍କା ଲେଖାଏଁ ଯୋଗାଇଦେବାକୁ ପ୍ରଶାସନ ପକ୍ଷରୁ ଆଶ୍ୱାସନା ଦିଆଯାଇଛି। ଏହା ସହିତ ଅନ୍ତ୍ୟୋଦୟ ଯୋଜନାରେ ମାସିକ ୩୫ କିଲୋଗ୍ରାମ ଚାଉଳ ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ମିଳିଛି। ସାଧାରଣ ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଗଣମାଧ୍ୟମରେ ସ୍ଥାନ ଦେବା ସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ହେଉଛି ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ। ଏହି ଘଟଣାରେ ବେଗୁନିଆ ପ୍ରଶାସନର ତତ୍ପରତା ନିଶ୍ଚିତ ଭାବେ ଏକ ପ୍ରଶଂସନୀୟ ପଦକ୍ଷେପ। ତେବେ କେବଳ ପ୍ରତିଶ୍ରୁତିରେ ସୀମିତ ନରହି ସମସ୍ତ ସହାୟତା ଯେପରି ତୁରନ୍ତ ଏହି ଅସହାୟ ପରିବାର ନିକଟରେ ପହଞ୍ଚିବ, ତାହା ହିଁ ଏବେ ସମସ୍ତଙ୍କ ଆଶା।

