ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁରୀ , ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (UPMP) ଶୁଭାରମ୍ଭ, ସଚେତନତା ରଥ ଉଦ୍ଘାଟିତ ! ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆଜି ଗଜପତି ଜିଲ୍ଲାରେ ୪,୬୨୯ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁର କରାଯାଇଛି। ଏଥିସହିତ ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ (Unified Pension Management Portal–UPMP)ର ଶୁଭାରମ୍ଭ ଏବଂ ଏହାର ପ୍ରଚାରପ୍ରସାର ପାଇଁ ଏକ ସଚେତନତା ରଥର ଉଦ୍ଘାଟନ କରାଯାଇଛି । ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନଡୋର ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ ଭତ୍ତା ବଣ୍ଟନ ଓ UPMP ଶୁଭାରମ୍ଭ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାବରା ତିରୁପତି ରାଓ ଓ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଉତ୍ସର୍ଗୀତା ବଡରଇତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୀର୍ଘଦିନ ଧରି ଭତ୍ତା ପାଇଁ ଅପେକ୍ଷା କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସାଚୁରେସନ୍ ମୋଡ୍ରେ ଭତ୍ତା ମଞ୍ଜୁର କରାଯାଇଛି। ଜିଲ୍ଲାର ୭ଟି ବ୍ଲକ୍ ଓ ୨ଟି ସହରାଞ୍ଚଳର ମୋଟ ୪,୬୨୯ ଜଣଙ୍କୁ ଏହି ସୁବିଧା ମିଳିଛି। ବ୍ଲକ୍ ଓ ସହରାଞ୍ଚଳଭିତ୍ତିକ ହିତାଧିକାରୀଙ୍କ ସଂଖ୍ୟା ହେଲା ଗୋଷାଣୀ ବ୍ଲକ୍ରେ ୮୨୨, ଗୁମ୍ମାରେ ୫୩୭, କାଶୀନଗରରେ ୭୫୮, ମୋହନାରେ ୧,୨୦୦, ନୂଆଗଡ଼ରେ ୪୩୬, ରାୟଗଡ଼ରେ ୫୬୮, ରା. ଉଦୟଗିରିରେ ୫୩, ପାରଳାଖେମୁଣ୍ଡି ପୌର ପରିଷଦରେ ୧୬୬ ଏବଂ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୮୯ ଜଣ। ନୂତନ ଭାବେ ଶୁଭାରମ୍ଭ ହୋଇଥିବା UPMP ପୋର୍ଟାଲ ମାଧ୍ୟମରେ ଯୋଗ୍ୟ ବ୍ୟକ୍ତିମାନେ ନିଜ ବ୍ଲକ୍ କାର୍ଯ୍ୟାଳୟକୁ ଯାଇ କିମ୍ବା ଘରେ ବସି ଅନଲାଇନ୍ରେ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆବେଦନ କରିପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ, ଗ୍ରାମାଞ୍ଚଳରେ ସମ୍ପୃକ୍ତ ବିଡିଓ ଏବଂ ସହରାଞ୍ଚଳରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଆବେଦନଗୁଡ଼ିକୁ ଅନୁମୋଦନ କରିବେ। ଏହାସହ ବରିଷ୍ଠ ହିତାଧିକାରୀଙ୍କ ସୁବିଧା ପାଇଁ ୮୦ ବର୍ଷ ବୟସ ପୂରଣ ହେବା ମାତ୍ରେ ନିୟମ ଅନୁଯାୟୀ ସ୍ୱୟଂଚାଳିତ ଭାବେ ବର୍ଦ୍ଧିତ ଭତ୍ତା ପ୍ରଦାନ କରାଯିବ। ଏଥିପାଇଁ ହିତାଧିକାରୀଙ୍କୁ ପୁନର୍ବାର ଆବେଦନ କରିବାକୁ ପଡ଼ିବ ନାହିଁ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବରିଷ୍ଠ ନାଗରିକ, ବିଧବା, ଭିନ୍ନକ୍ଷମ, ଅବିବାହିତ ଓ ସ୍ୱାମୀ ପରିତ୍ୟକ୍ତା ମହିଳା ହିତାଧିକାରୀଙ୍କ ସମେତ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ବିଭାଗୀୟ କର୍ମଚାରୀ ଯୋଗଦେଇଥିଲେ। ଶେଷରେ ଉପବିଭାଗୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଏଲ୍. ସନ୍ତୋଷ କୁମାର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ UPMP ପୋର୍ଟାଲ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ଏକ ସଚେତନତା ରଥରକୁ ଶୁଭାରମ୍ଭ କରାଯାଇଥିଲା।
ଗଜପତି ଜିଲ୍ଲାରେ ୪,୬୨୯ ନୂତନ ହିତାଧିକାରୀଙ୍କୁ ସାମାଜିକ ସୁରକ୍ଷା ଭତ୍ତା ମଞ୍ଜୁରୀ !!!

