Site icon Awaj Media

ଯୁବ ବ୍ୟବସାୟୀ ତଥା ସମାଜସେବୀ ସୁଧାଂଶୁ ମହାରଣାଙ୍କ ପରଲୋକ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଡମପଡା ବ୍ଲକ ଅନ୍ତର୍ଗତ ସାହାଡ଼ାପଦା ଗ୍ରାମର ଉଦୀୟମାନ ଯୁବ ବ୍ୟବସାୟୀ ତଥା ସମାଜସେବୀ ସୁଧାଂଶୁ ଶେଖର ମହାରଣା(ବାବୁଜା)ଙ୍କର ହୃଦଘାତରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ତାଙ୍କର ଅକାଳ ବିୟୋଗରେ ସାହାଡ଼ାପଦା ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ସୁଧାଂଶୁ ଜଣେ ମୃଦୁଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ସାହାଡ଼ାପଦା ଅଞ୍ଚଳରେ ସିଟି କେବୁଲ ବିତରକ ଭାବେ ସେ ଘରେ ଘରେ ପରିଚିତ ହୋଇଥିବା ବେଳେ ବ୍ୟବସାୟ ସହ ସମାଜସେବା କାର୍ଯ୍ୟରେ ମଧ୍ୟ ନିଜକୁ ନିୟୋଜିତ ରଖିଥିଲେ। ବାବା ବକ୍ରେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟିର ସହସମ୍ପାଦକ ଭାବେ ମଧ୍ୟ ସେ ନିଜ ଦାୟିତ୍ୱକୁ ନିଷ୍ଠାର ସହ ତୁଲାଉଥିଲେ। ତାଙ୍କ ପଛରେ ପତ୍ନୀ ଓ ଦୁଇ ଝିଅ ରହିଛନ୍ତି। ବଡ଼ ଝିଅକୁ ୧୬ ବର୍ଷ ହୋଇଥିବା ବେଳେ ସାନ ଝିଅକୁ ମାତ୍ର ୩ ବର୍ଷ। ତାଙ୍କର ଶେଷକୃତ୍ୟ ଗ୍ରାମ ଶ୍ମଶାନ ରେ ହୋଇଥିଲା , ତାଙ୍କର ଭଣଜା ମୁଖାଗ୍ନି ଦେଇଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନା ଏବଂ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ବାବା ବକ୍ରେଶ୍ୱର ମହାଦେବ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାମୂହିକ ଦୀପଦାନ କରାଯାଇଥିଲା। କମିଟିର ସଭାପତି ଅଜିତ କୁମାର ସୁବୁଦ୍ଧିଙ୍କ ନେତୃତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟଙ୍କ ସମେତ ଗ୍ରାମର ବହୁ ଯୁବକ ସାମିଲ ହୋଇଥିଲେ। ଏହି ଅକାଳ ବିୟୋଗ ଗ୍ରାମବାସୀଙ୍କ ମଧ୍ୟରେ ଗଭୀର ଶୂନ୍ୟତା ସୃଷ୍ଟି କରିଛି।

Exit mobile version